ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ପୌରପରିଷଦ ପକ୍ଷରୁ ବିଭିନ୍ନ ଦୋକାନ ଗୁଡିକ ଉପରେ ଚଢ଼ଉ କରାଯାଇ ବିପୁଳ ପରିମାଣର ପଲିଥିନ ଜବତ କରାଯାଇଛି । ଏହାସହ ପଲିଥିନ ବ୍ୟବହାର କରୁଥିବା ଦୋକାନୀ ମାନଙ୍କ ପାଖରୁ ଫାଇନ ବି ଆଦାୟ କରାଯାଇଛି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଏହି ଚଢ଼ଉରେ ନବ ନିର୍ବାଚିତ କାଉନସିଲର ମାନେ ସାମିଲ ହୋଇଥିଲେ ।
କିଛି ଦିନ ପୂର୍ବରୁ ସହରର ବ୍ୟବସାୟୀଙ୍କୁ ଟ୍ରେଡ ଲାଇସେନ୍ସ କରିବା ସହିତ ପଲିଥିନ ବ୍ୟବହାର ନକରିବାକୁ ଚେତାବନୀ ଦିଆଯାଇଥିଲା । ଟ୍ରେଡ ଲାଇସେନ୍ସ ନକଲେ ଦୋକାନକୁ ସିଲ କରିଦିଆଯିବ ବୋଲି ସତର୍କ ମଧ୍ୟ କରାଯାଇଥିଲା । ସେହିପରି ପୌର ପରିଷଦ ପକ୍ଷରୁ ପଲିଥିନ ବର୍ଜନ ଓ ଟ୍ରେଡ ଲାଇସେନ୍ସ ପାଇଁ ଦୋକାନ ଦୋକାନ ବୁଲି ବ୍ୟବସାୟୀ ଓ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏକକ ବ୍ୟବହୃତ ପଲିଥିନ ବ୍ୟବହାର ନକରିବାକୁ ବ୍ୟବସାୟୀମାନଙ୍କୁ କୁହାଯାଇଥିଲା ।