ବଲାଙ୍ଗୀର:ବାହାଘର ଭୋଜି ଖାଇ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ବଲାଙ୍ଗୀର ସମ୍ବଲପୁର ୨୬ ନଂ ଜାତୀୟ ରାଜପଥ ଛୁଇଁବନ୍ଧ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ରାସ୍ତାକଡରେ ଛିଡା ହୋଇଥିବା ଟ୍ରକ ସହ ଗୋଟିଏ କାର୍ ପିଟି ହେବାରୁ ଏଥିରେ ୫ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ୨ ମହିଳା ଓ ଜଣେ ଯୁବକ ଅଛନ୍ତି । ଆହତମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, କାରରେ ତିନୋଟି ପରିବାରର ୭ ଜଣ ସଦସ୍ୟ ଥିଲେ । ସମସ୍ତେ ସମ୍ପର୍କୀୟ । ଗତକାଲି ସେମାନେ ମାମୁଁ ବାହାଘରରେ ଯୋଗ ଦେବାକୁ ବଲାଙ୍ଗୀର ଡୁଡୁକା ଯାଇଥିଲେ । ଭୋଜି ଖାଇ ରାତିରେ କାର୍ ଯୋଗେ ନିଜ ଘର ରାମଜିପଡାକୁ ବାହାରିଥିଲେ । ଛୁଇଁବନ୍ଧ ନିକଟରେ କାର୍ ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ କ୍ଷଣିକ ମଧ୍ୟରେ ସବୁ ଓଲଟପାଲଟ ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଥିଲା ଏବଂ ଏଥିରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସେହି ବାଟଦେଇ ଯାଉଥିବା ଲୋକେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜକୁ ନେଇଥିଲେ । ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ ।