ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲା ସଇଁତଳାରେ ଗୋଷ୍ଠୀ ସଂଘର୍ଷ । ଏହି ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ନେଇଥିଲା । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଜଣେ ଯୁବକର ତଣ୍ଟି କାଟି ଦେଇଥିବା ଜଣାପଡିଛି । ଏହି ଘଟଣାରେ ଉଭୟ ଗୋଷ୍ଠୀର ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ମଧ୍ୟ ଆହତ ହୋଇଥିବା ନେଇ ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିକ୍ରାପଡ଼ା ଫାଣ୍ଡିର ସାଇମରା ଗାଁରେ ।
ସୂଚନା ଅନୁସାରେ, ସାଇମରା ଗାଁ ର ଅର୍ଜୁନ ଧରୁଆଙ୍କ ଘରକୁ ଖେର୍ସେଲବାଞ୍ଜି ଗାଁର ଯଶୋବନ୍ତ ଧାରୁଆ କୁଣିଆ ଭାବରେ ଆସିଥିଲେ । ତେବେ ସେହି ସମୟରେ ପାଖ ଜୁରାବନ୍ଧର ପ୍ରଦୀପ ଧରୁଆ, କେଉମାଲ ର ରାକେଶ ଭୋଇ ଓ ତାଙ୍କ କିଛି ସହଯୋଗୀ ଆସି ପ୍ରଥମେ ଅର୍ଜୁନ ଧାରୁଆଙ୍କ ଦୋକାନକୁ ଭଙ୍ଗାରୁଜା କରିଥିଲେ । ହେଲେ ଏହାକୁ ଯଶୋବନ୍ତ ବିରୋଧ କରିବାରୁ ରାକେଶ ଭୋଇଙ୍କ ସହ କଥା କଟାକଟି ହୋଇଥିଲା । ତେବେ ପରେ ଏହା ଗୋଷ୍ଠୀ ସଂଘର୍ଷ ର ରୂପ ନେଇଥିଲା । ଉଭୟେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ସଂଘର୍ଷରେ ଯଶୋବନ୍ତଙ୍କ ତଣ୍ଟି କଟିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି ।