ଓଡିଶା

odisha

ETV Bharat / state

ଜାଲ ସାର୍ଟିଫିକେଟ ମାମଲା, ୧୯ ଜଣଙ୍କୁ କୋର୍ଟ ଚାଲାଣ - ବାଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟ

ବାଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ କଲା ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

fake certificate racket busted in balangir
ବାଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ

By

Published : Mar 27, 2023, 10:07 PM IST

ବାଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ

ବଲାଙ୍ଗୀର:ଜାଲ୍‌ ସାର୍ଟିଫିକେଟ ରାକେଟ୍‌ ଧରାପଡ଼ିବା ପରେ ବଲାଙ୍ଗୀର ପୋଲିସର ଘନଘନ ଚଢ଼ାଉ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ାଉ ପରେ ମୁଖ୍ୟ କିଙ୍ଗପିନ ସମେତ ମୋଟ 19 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । 2016ରୁ ଏଠାରେ ଜାଲ ସାର୍ଟିଫିକେଟ ରାକେଟ ଚାଲିଥିବା । ଏଯାବତ 5 ହଜାର ଜାଲ ସାର୍ଟିଫିକେଟ ଜବତ ହୋଇଛି । ଏହି ଘଟଣାରେ ପୋଲିସର ଚଢ଼ାଉ ଜାରି ରହିଥିବାବେଳେ ଆଗକୁ ଗିରଫଦାରୀଙ୍କ ସଂଖ୍ୟା ବଢିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ।

2016ରୁ ଏଠାରେ ଜାଲ ସାର୍ଟିଫିକେଟ ରାକେଟ ଚାଲିଥିବାବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକ ସାର୍ଟିଫିକେଟ ନେଇଛନ୍ତି । ଦେଶର ସବୁ ବିଶ୍ୱ ବିଦ୍ୟାଳୟଠୁ ଆରମ୍ଭ କରି ବୋର୍ଡର ଜାଲ ସାର୍ଟିଫିକେଟ ଏଠାରେ ତିଆରି ହେଉଥିଲା । ଯାହାକୁ ନେଇ ସ୍ପଷ୍ଟ କରିଛନ୍ତି ବଲାଙ୍ଗୀର ଏସପି । ତେବେ ଜିଲ୍ଲାରେ ଜାଲ ସାର୍ଟିଫିକେଟ କାରବାର ହେଉଥିବାର ବଲାଙ୍ଗୀର ଡାକ ବିଭାଗ ପକ୍ଷରୁ ଏକ ଅଭିଯୋଗ ଆସିଥିଲା । ଯେଉଁଥିରେ 37 ଜଣ ଆବେଦନକାରୀ ଡାକ ବିଭାଗରେ ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇଥିଲେ । ଏହା ଉପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଦୀର୍ଘ କିଛି ଦିନ ତଦନ୍ତ କରିଥିଲା । ବଲାଙ୍ଗୀର ସହର ମଧ୍ୟରେ ଥିବା ରିଲାଏନ୍ସ କୋଚିଂ ସେଣ୍ଟରରେ ଏହି ଜାଲ ସାର୍ଟିଫିକେଟର କାରବାର ହେଉଥିବା ପୋଲିସ ଜାଣିବାକୁ ପାଇଥିଲା ।

ତେବେ ପୋଲିସ କୋଚିଂ ସେଣ୍ଟରର ମାଲିକ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦଗାତାଙ୍କୁ ଅଟକ ରଖିଥିଲା । ପରବର୍ତ୍ତୀ ସମୟରେ ସମ୍ପୃକ୍ତ କୋଚିଂ ସେଣ୍ଟରରେ ଚଢ଼ାଉ କରିଥିଲା ଏବଂ ଖୋଲିଥିଲା ଜାଲ ସାର୍ଟିଫିକେଟର ପେଡି । ଦେଶର ବିଭିନ୍ନ ନାମୀଦାମୀ ବିଶ୍ବବିଦ୍ୟାଳୟ, ବୋର୍ଡ ଓ ଅନ୍ୟାନ୍ୟ ପ୍ରତିଷ୍ଠାନର ମୋଟ 5 ହଜାରରୁ ଊର୍ଦ୍ଧ୍ବ ଜାଲ ସାର୍ଟିଫିକେଟ ଜବତ କରିଛି ବଲାଙ୍ଗୀର ପୋଲିସ । ସେହିପରି ଏହାକୁ ତିଆରି କରିବା ପାଇଁ ବ୍ୟବହାର ହେଉଥିବା କମ୍ପ୍ୟୁଟର, ପ୍ରିଣ୍ଟର, ସିଲ ଷ୍ଟାମ୍ପ ମଧ୍ୟ ଜବତ ହୋଇଛି । ଏଥିସହ 3ଲକ୍ଷ 67 ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ । କୋଚିଂ ସେଣ୍ଟର ନାଁରେ ବିଗତ ୨୦୧୬ରୁ କଳା ଧନ୍ଦା ଚାଲୁଥିବା ପୋଲିସ ଜାଣିବାକୁ ପାଇଛି । ଦେଶର 27ଟି ୟୁନିଭର୍ସିଟି ଓ ସ୍କୁଲର ଜାଲ କାଗଜ ପତ୍ର, ସିଲ୍‌ ଷ୍ଟାମ୍ପ୍‌, ଲୋଗୋ ଇତ୍ୟାଦି ମିଳିଛି । ସେହିପରି କିଛି ଡାଏରି ମଧ୍ୟ ପୋଲିସ ହାତରେ ଲାଗିଛି । ଯେଉଁଥିରେ କାହାଠୁ କେଉଁ ସାର୍ଟିଫିକେଟ ପାଇଁ କେତେ ଟଙ୍କା ନିଆ ହେଲା ସେସବୁର ତଥ୍ୟ ରହିଛି ।

ସେହିପରି ପ୍ରତ୍ୟେକ ସାର୍ଟିଫିକେଟ ପାଇଁ ଦେଢ଼ ଲକ୍ଷ ଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କା ଦାବି କରୁଥିବା ପୋଲିସ କହିଛି । ଜବତ ଡାଏରିରେ ବଲାଙ୍ଗୀର ସମେତ କେତେକ ଜିଲ୍ଲାର ଅନେକ ସ୍କୁଲ, କଲେଜ, ୟୁନିଭର୍ସିଟି ଓ ଲୋକଙ୍କ ସହ ଟଙ୍କା କାରବାର ହେଉଥିବାର ତଥ୍ୟ ରହିଛି । ଖାଲି ସେତିକି ନୁହେଁ, ଏହାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକାମୀ କରିଥିବାର ମଧ୍ୟ ପୋଲିସ ଜାଣିବାକୁ ପାଇଛି । ଏନେଇ ବଲାଙ୍ଗୀର ଏସପି ନିତିନ କୁସଲକର ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି । ମନୋଜ ମିଶ୍ର କମାଇଥିବା ଟଙ୍କାରେ ୬ଟି ସ୍ଥାନରେ କୋଟିକୋଟି ଟଙ୍କାର ଜମି କିଣିଛି । ଏହି ସବୁ ଜମି ଜମା କାଗଜ ସହ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି । ତେବେ ଏହି ରାକେଟର ତଦନ୍ତରେ ଆହୁରି ସମୟ ଲାଗିବ ଓ ଗିରଫଦାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ଗିରଫ ହୋଇଥିବା 19 ଜଣ ଅଭିଯୁକ୍ତଙ୍କୁ ଦଫା 420, 465, 467, 468,471 ଓ 34 ଆଇପିସିରେ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details