ବଲାଙ୍ଗୀର: ସହରର ପରିମଳ ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ଦେଖିବାକୁ ମିଳିଛି । ବର୍ଷାଋତୁ ଆସିବା ଆଗରୁ ଏବେ ଠୁ ଲୋକଙ୍କ ଘର ଭିତରେ ନାଳନର୍ଦ୍ଦମାର ମଇଳା ପାଣି ପଶିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ପରବର୍ତ୍ତୀ ସମୟରେ ବିଧାୟକ ନରସିଂହ ମିଶ୍ରଙ୍କୁ ଜଣାଇବା ପରେ ବିଧାୟକ ଏ ବିଷୟରେ ପୌରପାଳିକାକୁ ଏ ବିଷୟରେ ତାଗିଦ୍ କରିଛନ୍ତି । ଫଳରେ ପୌରପାଳିକା ସମସ୍ୟାର ସମାଧାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।
ସହରର ତଳିଆ ଅଞ୍ଚଳର ଘରମାନଙ୍କ ଆଗରେ ଆଣ୍ଠୁଏ ପାଣି ଜମିଥିବା ଦେଖିବାକୁ ମିଳିଛି । ତେବେ ଏହି ପାଣି ବର୍ଷା ଯୋଗୁଁ ନୁହେଁ ବରଂ ସହରର ଅବ୍ୟବସ୍ଥିତ ନାଳ ଯୋଗୁଁ ହେଉଥିବା ଜଣାପଡିଛି । ଏଠାରେ ଥିବା ନାଳରେ ପଙ୍କ ତଥା ଅବରୋଧ ଯୋଗୁଁ ଦୂଷିତ ପାଣି ସହର ବାହାରକୁ ନିଷ୍କାସିତ ହୋଇ ନ ପାରି ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରରେ ପଶୁଛି ।