ବଲାଙ୍ଗୀର:ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ପାଇଁ ଘୋଷଣା ହେଉଛି କୋଟି କୋଟି ଟଙ୍କା । ଚଳିତ ବଜେଟରେ କେନ୍ଦ୍ର ସରକାର 15 ଶହ 99 ହଜାର ଟଙ୍କା ଅନୁଦାନ ଦେଇଛନ୍ତି । ତେବେ ପ୍ରତି ବର୍ଷ ବଜେଟରେ ଟଙ୍କା ବ୍ୟୟ ବରାଦ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଗେଇ ପାରିନି ପ୍ରକଳ୍ପ କାମ । ଫଳରେ ଟଙ୍କା ଖର୍ଚ୍ଚ ହେବା ବଦଳରେ ଟଙ୍କା ଫେରିଯାଉଛି । ଯାହାର ଖୁଲାସା ହୋଇଛି ଆରଟିଆଇ ତଥ୍ୟରେ ।
ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ରେଳ ମନ୍ତ୍ରଣାଳୟକୁ ଏ ବିଷୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଯେଉଁଥିରେ ସବୁ ବର୍ଷ ବ୍ୟୟ ବରାଦ ହେଉଥିବା ଟଙ୍କାର ମାତ୍ର 30 ପ୍ରତିଶତ ଖର୍ଚ୍ଚ ହେଉଥିବା ବେଳେ ବାକି ଟଙ୍କା ଫେରି ଯାଉଥିବାର ଜଣାପଡ଼ିଛି । ତେବେ ମିଳିଥିବା ତଥ୍ୟ ଅନୁସାରେ 2016/ 17 ବର୍ଷ ରୁ ବ୍ୟୟ ବରାଦ ହେଉଥିବା ଟଙ୍କାରୁ ଆଜି ଯାଏଁ ଅଧାରୁ ଅଧିକ ଟଙ୍କା ଖର୍ଚ୍ଚ ନ ହୋଇ ଫେରି ଯାଇଥିବାର ଜଣାପଡିଛି । ଯେଉଁଥିରେ ଗତ 2016 /17 ବର୍ଷରେ କେନ୍ଦ୍ର 310 କୋଟି ଟଙ୍କା ଦେଇଥିଲେ। ହେଲେ ଖର୍ଚ୍ଚ ହୋଇଥିଲା ମାତ୍ର 273 କୋଟି ଟଙ୍କା ।
ସେହିପରି 2017/18 ବର୍ଷରେ 642 କୋଟି ଦିଆ ଯାଇଥିବା ବେଳେ ଖର୍ଚ୍ଚ ହୋଇଥିଲା 158 କୋଟି। 2018/19ରେ ମିଳିଥିଲା 625 କୋଟି ଏବଂ ଖର୍ଚ୍ଚ ହୋଇଥିଲା 154 କୋଟି । 2019/2020ରେ ମିଳିଥିଲା 350 କୋଟି ଦିଆଯାଇଥିବା ବେଳେ 153 କୋଟି ଖର୍ଚ୍ଚ ହୋଇଥିଲା । ସେହିପରି 2020/21 ରେ 519 କୋଟି ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଥିଲା 170 କୋଟି, 2021/22 ସର୍ବାଧିକ 1000 କୋଟି ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଥିଲା ମାତ୍ର 371 କୋଟି । ତେବେ ଗତ ବର୍ଷ ମଧ୍ୟ ଏହିଭଳି 891 କୋଟି ଟଙ୍କା ମିଳିଥିବା ବେଳେ 287 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।