ବଲାଙ୍ଗୀର:ସହରର ଲାନ୍ଥ ନଦୀ ଉପରେ ଦୀର୍ଘ ଦିନରୁ ୨ଟି ପଞ୍ଚାୟତର ଲୋକେ ପୋଲ ନିର୍ମାଣ ଦାବି କରି ଆସୁଥିଲେ । ତେବେ ଆଜି(ଶୁକ୍ରବାର) ଏହି ଦୁଇ ପଞ୍ଚାୟତର ଲୋକେ ପୋଲ ଦାବି ନେଇ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ନ ହେବା ଯାଏଁ ଏମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।
ଜିଲ୍ଲାର ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଓ ଧରବଗଡ଼ ପଞ୍ଚାୟତ ମଝିରେ ଥିବା ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବି ନେଇ କରମତଲା ଓ ଧରବଗଡ଼ ପଞ୍ଚାୟତର ଲୋକେ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ପ୍ରାୟ ୭ଟି ଗ୍ରାମର ଲୋକେ ନଦୀ ପାଣିରେ ବସି ଧାରଣା ଦେଇଛନ୍ତି । କରମତଲା ଓ ଧରବଗଡ଼କୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ କରମତଲା ମଧ୍ୟରେ ଏହି ନଦୀ ଉଭୟ ଅଞ୍ଚଳ ବାସୀଙ୍କୁ ଯୋଗାଯୋଗ ବିଚ୍ଛିନ୍ନ କରିଛି । ବିଶେଷ କରି କରମତଲା ଅଞ୍ଚଳର ଜନସାଧାରଣ ସ୍କୁଲ, କଲେଜ ଓ ଟିଟିଲାଗଡ ଡାକ୍ତରଖାନା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି ।