ବଲାଙ୍ଗୀର: ବଲାଙ୍ଗୀରର ଇଷ୍ଟ ଦେବୀ ମାଆ ସମଲେଇ ମନ୍ଦିରର ବଦଳିବ ରୂପ ରେଖ । ମନ୍ଦିରର ହେବ ନବକଳେବର । ଆଧୁନିକ ଢାଞ୍ଚାରେ ମନ୍ଦିର ତିଆରି ପାଇଁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ । ଯାହାର ସମୀକ୍ଷା କରିଛନ୍ତି ଓଡିଶା ଗୃହ ନିର୍ମାଣ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହ ଦେଓ । ତେବେ ସେ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ଅବସ୍ଥା ବୁଲି ଦେଖିଥିଲେ ।
ରୋଡ୍ ଓ ଗୃହ ନିର୍ମାଣ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଅଧିକାରୀ ତଥା ପୌର ପରିଷଦ ଅଧ୍ୟକ୍ଷା, ପୌରପରିଷଦ ନିର୍ବାହୀ ଯନ୍ତ୍ରୀ ଓ ସମସ୍ତ କାଉନସିଲରଙ୍କ ସହ ପୂର୍ବତନ ସାଂସଦ ଆଲୋଚନା କରିଥିଲେ । ସେହିପରି ନୂତନ ସମଲେଇ ମନ୍ଦିର ନିର୍ମାଣ ପାଇଁ ରୋଡ଼ ଓ ଗୃହ ବିଭାଗ ପ୍ରସ୍ତୁତ କରଥିବା ପ୍ଲାନ ଉପରେ ଏଠି ବିସ୍ତୃତ ଆଲୋଚନା କରିଥିଲେ ।
ଯେଉଁଥିରେ 10 ହଜାର ବର୍ଗ ଫୁଟରେ ମନ୍ଦିର ନିର୍ମାଣ ହେବାସହ ପୂଜା ମଣ୍ଡପ, ମନ୍ଦିର ପ୍ରାଙ୍ଗଣ, ଯଜ୍ଞ ମଣ୍ଡପ ଓ ଦୋକାନ ଇତ୍ୟାଦି ତିଆରି ହେବାର ପ୍ରସ୍ତାବ ରହିଛି । ଯାହାଫଳରେ ଅଧିକରୁ ଅଧିକ ଭକ୍ତ ଦର୍ଶନ କରି ପାରିବେ ବୋଲି କୁହାଯାଇଛି । ଏଥିପାଇଁ ଯାହା ଟଙ୍କା ଆବଶ୍ୟକ ତାହା ସରକାର ଯୋଗାଇ ଦେବେ ବୋଲି କଳିକେଶ ସିଂ ଦେଓ କହିଛନ୍ତି । ସମାନ ଭାବରେ ରାଜ୍ୟର ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଖୁବ ଶୀଘ୍ର ଏହାର ତଦାରଖ ପାଇଁ ଆସିବେ ବୋଲି ପୂର୍ବତନ ସାଂସଦ ସୂଚନା ଦେଇଛନ୍ତି ।