ବଲାଙ୍ଗୀର: ଆଜିର ଆଧୁନିକ ଯୁଗରେ ହଜି ଯାଉଛି ପାରମ୍ପରିକ କଲା ସଂସ୍କୃତି। ହେଲେ ବଲାଙ୍ଗୀରର ଜଣେ ଡାକ୍ତର ଆଗେଇ ଆସିଛନ୍ତି ଏଭଳି କଳାକୁ ପୁନଃଜୀବିତ କରି ଲୋକଙ୍କୁ ଖୁସି ବାଣ୍ଟିବା ପାଇଁ। ଅବହାମାନ କାଳରୁ ଯେଉଁ ଲୋକକଳା ଦିନେ ଲୋକଙ୍କ ଭରପୁର ମନୋରଞ୍ଜନ କରୁଥିଲା ଏବେ ସେହି କଳା ଓ କଳାକାର ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛନ୍ତି । ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଏହି ପାରମ୍ପରିକ କଳା ସଂସ୍କୃତିକୁ ପୁଣି ଜୀବନ୍ୟାସ ଦେବା ପାଇଁ ଆଗେଇ ଆସିଛନ୍ତି ବଲାଙ୍ଗୀରର ଜଣେ ଡାକ୍ତର। ଯାହାଙ୍କର ପେଶା ଡାକ୍ତରୀ ହୋଇଥିବା ବେଳେ ନିଶା କିନ୍ତୁ ଅଭିନୟ । ବଲାଙ୍ଗୀରର ସ୍ତ୍ରୀ ଓ ପ୍ରସୂତି ଡାକ୍ତର ରୁଦ୍ର ନାରାୟଣ ପଟେଲ ଯିଏକି ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ଲୋକଙ୍କ ମନରୋଞ୍ଜନ କରିଛନ୍ତି ।
ଶାନ୍ତ ସ୍ଵଭାବ ଓ ମିଠା କଥା ପାଇଁ ରୋଗୀ ତାଙ୍କୁ ସମ୍ମାନ ସହିତ ସ୍ନେହ ଦେଇଥାଆନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ରୋଗୀ ସେବାରେ ନିଜକୁ ନିୟୋଜିତ କରିଥାନ୍ତି ରୁଦ୍ର ନାରାୟଣ ପଟେଲ । ସେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ସ୍ତ୍ରୀ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର । ପେଶା ଡାକ୍ତର ହେଲେ ବି ଅଭିନୟ ତାଙ୍କର ନିଶା । ବ୍ୟସ୍ତ ଜୀବନରୁ ସମୟ କାଢି ଲୋକଙ୍କୁ ଖୁସି ବାଣ୍ଟି ଥାଆନ୍ତି । ଡାକ୍ତର ରୁଦ୍ରନାରାୟଣ ପଟେଲ ଲୋକକଳା ସଂକୃତି ପ୍ରତି ଖୁବ ଆକୃଷ୍ଟ ହୋଇଛନ୍ତି । ଲୁପ୍ତ ହେବାକୁ ବସିଥିବା କଳାକୁ ପୁନଃଜୀବିତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବଲାଙ୍ଗୀର ରାମଜି ପଡ଼ାରେ 150 ବର୍ଷ ପୂର୍ବରୁ ହୋଇ ଆସୁଥିବା ପାରମ୍ପରିକ ରାମଲୀଳାକୁ ସେ ପୁଣି ଆୟୋଜନ କରିବାକୁ ପ୍ରୟାସ କରି ଆସୁଛନ୍ତି । ଏହି ରାମଲୀଳା ରାଜା ଅମଳରେ ହୋଇ ଆସୁଥିଲା । ଏଠି ଲୋକ କଳାର ବେଶ ଝଲକ ଦେଖିବାକୁ ମିଳୁଥିଲା । ତେବେ ଏହା କିଛି ଉଦ୍ୟୋଗୀଙ୍କ ପ୍ରଚେଷ୍ଟା କ୍ରମେ ପୁଣି ବହୁ ବର୍ଷ ଚାଲିଥିଲା । ହେଲେ ପରବର୍ତ୍ତୀ ସମୟରେ ଦୀର୍ଘ 18 ବର୍ଷ ହେବ ବନ୍ଦ ହୋଇ ଯାଇଥିଲା । କଳାପ୍ରିୟ ଡାକ୍ତର ରୁଦ୍ରନାରାୟଣ ପଟେଲ ଏହାକୁ ପୁଣି ଆରମ୍ଭ କରିଛନ୍ତି ।