ବଲାଙ୍ଗୀର:ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ବଡ ଅଘଟଣ । ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଭାସିଗଲେ ୩ ଭାଇ । ଗତକାଲି(ଗୁରୁବାର) ଆଗଲପୁର ଥାନା ଅନ୍ତର୍ଗତ ଭରସୁଜା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ୩ ଭାଇ ସାଙ୍ଗ ହୋଇ ନାଳକୁ ଗୋଧାଇବାକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ସମସ୍ତେ ଭାସି ଯାଇଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭାଇ ନିଖୋଜ ଅଛନ୍ତି । ଅନ୍ୟ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମୃତକ ହେଲେ ପିପିଲିପାଲି ଗାଁର ଗୁଲେକ ପୋଢ । ନିଖୋଜ ଥିବା ଜଣଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି ।
ସୂଚନା ଅନୁଯାୟୀ, ପିପିଲିପାଲି ଗାଁ ପୋଢ଼ ପରିବାରର ତିନି ଭାଇ ଗୁଲେଖ ପୋଡ଼, ରଜନୀ ପୋଡ଼ ଓ ପ୍ରମୋଦ ପୋଡ଼ ଭରସୁଜା କୁହ୍ଲାରୀ ନାଳକୁ ଗାଧୋଇବାକୁ ଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ହଠାତ୍ ନାଳରେ ଅଧିକ ପାଣି ଆସିଯାଇଥିଲା । ଫଳରେ ଗୋଡ ଖସି ଯିବାରୁ ଦୁଇ ଭାଇ ଭାସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଭାଇ ମଧ୍ୟ ପ୍ରଖର ସୁଅରେ ଭାସି ଯାଇଥିଲେ । ଗ୍ରାମବାସୀ ଓ ଆଗଲପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରଜନୀ ପୋଢ଼ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । କିନ୍ତୁ ଗୁଲେକ ପୋଢ଼ଙ୍କର ମୃତ୍ୟୁ ହୋଇଯାଇଥିଲା ।