ବଲାଙ୍ଗୀର: ପୋଖରୀ ପୁନରୁଦ୍ଧାର ଦାବିରେ ଜଳ ସତ୍ୟାଗ୍ରହ ଆନ୍ଦୋଳନକୁ ଓହ୍ଲାଇଲେ ସହରବାସୀ । ବଲାଙ୍ଗୀର ସହର ରାଜା ଅମଳରୁ ଥିବା ପୋଖରୀ ସବୁ ଏବେ ଅବ୍ୟବହାରଯୋଗ୍ୟ ହୋଇ ପଡ଼ିଛି । ଏହି ସବୁ ପୋଖରୀର ପୁନରୁଦ୍ଧାର ପାଇଁ କ୍ରମାଗତ ଭାବେ ଲୋକେ ଦାବି କରି ଆସୁଛନ୍ତି । ପୂର୍ବରୁ ଅନେକ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ଅଣଦେଖା କରିବାରୁ ସହରବାସୀଙ୍କ ପକ୍ଷରୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ବଲାଙ୍ଗୀର 9 ନମ୍ବର ୱାର୍ଡ ବେହେରାପାଲି ପଡ଼ା ଅଞ୍ଚଳରେ କାହିଁ କେଉଁ ଅମଳରୁ ଏକ ପୋଖରୀ ରହିଛି । ଏହାରି ଉପରେ ଆଖପାଖ ଅଞ୍ଚଳବାସୀ ନିର୍ଭର କରନ୍ତି । ଦୀର୍ଘ ଦିନ ଧରି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହୋଇନଥିବାରୁ ଏହା ପୋତି ହେବାରେ ଲାଗିଛି । ବର୍ତ୍ତମାନ ପୋଖରୀଟି ଆବର୍ଜନାର କୁଣ୍ଡ ପାଳିଟିଛି । ପୋଖରୀ ସଫା ନହେବାରୁ ପାଣି ବିଷାକ୍ତ ହୋଇ ଯାଇଛି । ଲୋକେ ଏହି ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପୋଖରୀ ସମସ୍ୟା ନେଇ ପ୍ରଶାସନକୁ ଅନେକ ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ବାଧ୍ୟ ହୋଇ ଅଞ୍ଚଳବାସୀ ଉକ୍ତ ପୋଖରୀ ଭିତରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ କଂଗ୍ରେସ ଦଳ ଏମାନଙ୍କୁ ସମର୍ଥନ ଦେଇ ପ୍ରତ୍ୟକ୍ଷ ଭାବରେ ଆନ୍ଦୋଳନରେ ସାମିଲ ହୋଇଛି ।