ବଲାଙ୍ଗୀର:ଜିଲ୍ଲାରେ ପ୍ରଚଣ୍ଡ ଖରା ସାଙ୍ଗକୁ ପାନୀୟ ଜଳ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ସମସ୍ୟାର ସମାଧାନ ନହେବାରୁ ଉତ୍ତ୍ୟକ୍ତ ଲୋକ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଘେରିଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ଦାବି କରି ବୁଧବାର କଂଗ୍ରେସ ନେତା ଓ କିଛି ସଂଗଠନ ସହ ଶତାଧିକ ଲୋକ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଘେରିଛନ୍ତି ।
ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଲୋକଙ୍କୁ ପିଇବା ପାଣି ମୁନ୍ଦାଏ ମିଳି ପାରୁନାହିଁ । ବିଭିନ୍ନ ପଡ଼ାକୁ ପାଇପ ସଂଯୋଗ ହୋଇଥିଲେ ସୁଦ୍ଧା ଏଯାଏଁ ଲୋକଙ୍କୁ ପାଣି ମିଳି ପାରି ନାହିଁ । ଅନେକ ଅଞ୍ଚଳରେ ଚାରି ଦିନରେ ଥରେ ପାଣି ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା କିଛି ଲାଭ ହୋଇନାହିଁ । ଶେଷରେ କଂଗ୍ରେସ ଓ କିଛି ସଂଗଠନ ସହ ଶତାଧିକ ଲୋକ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରିବାକୁ ବାଧ୍ୟ ହୋଇଛନ୍ତି ।