ଓଡିଶା

odisha

ETV Bharat / state

ମର୍ମନ୍ତୁଦ ଦୁର୍ଘଟଣା ପରେ ବଲାଙ୍ଗୀରରେ ତେଜିଲା ବାଇପାସ୍ ଦାବି - ବଲାଙ୍ଗୀରରେ ବାଇପାସ୍ ଦାବି

ମର୍ମନ୍ତୁଦ କାର୍ ଦୁର୍ଘଟଣା ପାଇଁ ଜାତୀୟ ରାଜପଥ କଡରେ ଅବାଧ ଟ୍ରକ ପାର୍କିଂକୁ ଦାୟୀ କଲେ ସମ୍ପର୍କୀୟ । ବଲାଙ୍ଗୀରରେ ତେଜିଲା ବାଇପାସ୍ ଦାବି । ଅଧିକ ପଢନ୍ତୁ

ବଲାଙ୍ଗୀରରେ ତେଜିଲା ବାଇପାସ୍ ଦାବି
ବଲାଙ୍ଗୀରରେ ତେଜିଲା ବାଇପାସ୍ ଦାବି

By

Published : Jun 16, 2023, 11:56 AM IST

Updated : Jun 16, 2023, 2:37 PM IST

ବଲାଙ୍ଗୀରରେ ତେଜିଲା ବାଇପାସ୍ ଦାବି

ବଲାଙ୍ଗୀର:ମଙ୍ଗଳବାର ରାତିରେ ବଲାଙ୍ଗୀର କାର୍ ଦୁର୍ଘଟଣାରେ 5 ଜଣଙ୍କ ଜୀବନ ଯିବା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଛି । ଦୁର୍ଘଟଣା ପଛରେ ଜାତୀୟ ରାଜପଥର କଡରେ ଅବାଧ ଟ୍ରକ ପାର୍କିଂକୁ ଦାୟୀ କରାଯାଉଛି । ରାଜପଥ କଡ଼ରେ ମାଳମାଳ ଟ୍ରକ ଧାଡି ବାନ୍ଧି ଛିଡା ହୋଇରହୁଛି । ଯେଉଁ କାରଣରୁ ଭାରସାମ୍ୟ ହରାଇ ଟ୍ରକ ସହ ପିଟି ହୋଇଥିଲା । ଏଥିପାଇଁ ମୃତକଙ୍କ ସମ୍ପର୍କୀୟ ଓ ବଲାଙ୍ଗୀରବାସୀ ସରକାରଙ୍କୁ ଦୋଷ ଦେଉଥିବା ବେଳେ ଦୁର୍ଘଟଣା ପରେ ସହରରେ ବାଇପାସ୍ ରାସ୍ତା ପାଇଁ ଦାବି ଜୋର ଧରିଛି ।

ବଲାଙ୍ଗୀର ଦେଇ ଦୁଇ ଦୁଇଟି ଜାତୀୟ ରାଜପଥ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଓ ବରଗଡ଼-ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥ ଯାଇଛି । ସହର ମଧ୍ୟ ଦେଇ ଏହି ଦୁଇ ରାଜପଥ ଯାଇଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିଲା । ଏହି ଦୃଷ୍ଟିରୁ ପ୍ରଶାସନ ସକାଳ 6ଟାରୁ ରାତି 12 ପର୍ଯ୍ୟନ୍ତ ସହରରେ ଭାରୀ ଯାନ ପ୍ରବେଶ ଉପରେ ରୋକ୍ ଲଗାଇଥିଲେ । ଯେଉଁଥିପାଇଁ ନିତିଦିନ ଶତାଧିକ ଟ୍ରକ ଓ ବଡ଼ ବଡ଼ ଗାଡି ସହର ବାହାରେ ବେଆଇନ ପାର୍କିଂ କରି ଛିଡ଼ା ହୋଇଥାଆନ୍ତି । ଯାହାଦ୍ୱାରା ରାସ୍ତା ସଂକୀର୍ଣ୍ଣ ହେବାରୁ ଅନେକ ସମୟରେ ଦୁର୍ଘଟଣାମାନ ଘଟି ଚାଲିଛି । ମଙ୍ଗଳବାର ରାତିରେ ଘଟିଥିବା କାର୍ ଦୁର୍ଘଟଣା ପଛରେ ଏହା ହିଁ କାରଣ ବୋଲି ମୃତକଙ୍କ ସମ୍ପର୍କୀୟ କହିଛନ୍ତି । ଯାହାପରେ ସହରରେ ବାଇପାସ୍ ପାଇଁ ପୁଣିଥରେ ଦାବି ଉଠିଛି ।

ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ କହିଛନ୍ତି, "ବାଇପାସ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଇ ସାରିଛନ୍ତି । 2019ରେ ଜମି ଅଧିଗ୍ରହଣ ପାଇଁ 190 କୋଟି ଟଙ୍କା ମିଳିଥିଲା । ଏହାର ନିର୍ମାଣ ଲାଗି 238.78 କୋଟି ଟଙ୍କା କେନ୍ଦ୍ର ପକ୍ଷରୁ ଦିଆଯାଇଛି । ଖୁବଶୀଘ୍ର ପରିବହନ ମନ୍ତ୍ରୀ ଆସି ବାଇପାସ ରୋଡର ଶିଳାନ୍ୟାସ କରିବେ ।" ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ 20 ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଥିବା ବେଳେ 20 ଲକ୍ଷ ଟଙ୍କା ଦେବାକୁ ସମ୍ପର୍କୀୟ ଦାବି କରିଛନ୍ତି ।

ଏନେଇ ମୃତକଙ୍କ ସମ୍ପର୍କୀୟ ଶୁଭ୍ରାଂଶୁ ପଟେଲ କହିଛନ୍ତି, ନିଜ ଆତ୍ମୀୟଙ୍କୁ ହରାଇବାର ଦୁଃଖ କେବେ ଯିବନି । ଡୁଡୁକାରୁ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ ସହ କାର୍ ଧକ୍କା ହୋଇଥିଲା । ସାମ୍ନାରୁ ଆସୁଥିବା ଏକ ଗାଡ଼ିର ହାଲୋଜେନ ଲାଇଟରେ କାର ଚଳାଉଥିବା ତାଙ୍କର ସମ୍ପର୍କୀୟ ଟ୍ରକକୁ ଦେଖିପାରି ନଥିଲେ । ଯେଉଁଥିପାଇଁ ଏତେ ବଡ଼ ଅଘଟଣ ଘଟିଗଲା । ଏହି ଘଟଣା ପାଇଁ ସେ ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଛନ୍ତି ।

ବଲାଙ୍ଗୀର କୋଷଳ ନେତା ପ୍ରମୋଦ ମିଶ୍ର ଦୁର୍ଘଟଣାର ମୂଳ କାରଣ ବାଇପାସ ବୋଲି କହିଛନ୍ତି । ସମୟକ୍ରମେ ସହରରେ ଟ୍ରାଫିକ ବଢ଼ିଛି । ଦୈନିକ ହଜାରହଜାର ଗାଡ଼ି ମୋଟର ବଲାଙ୍ଗୀର ଦେଇ ଅତିକ୍ରମ କରୁଛନ୍ତି । ହେଲେ ଏଠିକାର ସରକାର ଓ ନେତା ଲୋକଙ୍କୁ କେବଳ ଭୂଆଁ ବୁଲାଇ ଆସୁଛନ୍ତି । ସ୍ଥାନୀୟ ରାଜନେତାମାନେ ଖାଲି ନିଜର ଓ ନିଜ ପରିବାରର ସ୍ବାର୍ଥ ଦେଖୁଛନ୍ତି । ବାଇପାସ ପାଇଁ ତାଙ୍କର ଆନ୍ତରିକତା ନାହିଁ । ରାଜ୍ୟ ସରକାର ଶ୍ବେତପତ୍ର ଜାରି କାହିଁକି ବାଇପାସ୍ ହେଉନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି କୋଷଳ ନେତା କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 16, 2023, 2:37 PM IST

ABOUT THE AUTHOR

...view details