ଓଡିଶା

odisha

ETV Bharat / state

ବଲାଙ୍ଗୀର ଆକ୍ସନ କମିଟିର ବନ୍ଦ ଡାକରାକୁ ବିରୋଧ - ବଲାଙ୍ଗୀର ବନ୍ଦ ଡାକରା

ଆସନ୍ତାକାଲି ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ହେବାକୁ ଥିବା 24 ଘଣ୍ଟିଆ ବନ୍ଦ ଡାକରାକୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ

protest against balangir bandh
protest against balangir bandh

By

Published : Jan 5, 2023, 12:09 PM IST

protest against balangir bandh

ବଲାଙ୍ଗୀର:ରୋଚକ ସ୍ଥିତିରେ ବଲାଙ୍ଗୀର ରାଜନୀତି । ବିକାଶ ନାଁରେ ଆକ୍ସନ କମିଟି ଦେଇଥିବା ବଲାଙ୍ଗୀର ବନ୍ଦ ଡାକରାକୁ ତୀବ୍ର ବିରୋଧ କରାଯାଇଛି । ଆସନ୍ତାକାଲି (ଶୁକ୍ରବାର ) ବଲାଙ୍ଗୀରର ବିକାଶ ନାଁରେ 24 ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଯାହାକୁ ତୀବ୍ର ବିରୋଧ ହୋଇଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ସହର ମଧ୍ୟରେ ଥିବା ଲକ୍ଷ୍ମୀ ନାଳ, ମହାରାଣୀ ସାଗର ଓ ଅନ୍ୟାନ୍ୟ ବିକାଶ କାମ ପାଇଁ ଟଙ୍କା ଆସିଥିଲେ ମଧ୍ୟ ତାହା ଉପଯୋଗ ହୋଇ ପାରୁନାହିଁ । ଯାହାକୁ ମୁଖ୍ୟ ବିଷୟ କରି ବଲାଙ୍ଗୀର ଆକ୍ସନ କମିଟି ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଥିଲା ।

ଏକ ପ୍ରସ୍ତୁତି ବୈଠକରେ ଆକ୍ସନ କମିଟି ସହିତ ବଲାଙ୍ଗୀର କଂଗ୍ରେସ ଦଳର ନେତୃତ୍ବ ବୃନ୍ଦ ଓ ଅନ୍ୟମାନେ ସାମିଲ ହୋଇଥିଲେ । ତେବେ ଏହି ପ୍ରସ୍ତୁତି ବୈଠକରେ ଏମାନେ ଜାନୁଆରୀ 6 ତାରିଖରେ ବଲାଙ୍ଗୀରରେ 24 ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ। ଏହାକୁ ନେଇ ସେମାନେ ବଲାଙ୍ଗୀର ସହରରେ ଡାକ ବାଜିଯନ୍ତ୍ରରେ ପ୍ରଚାର ମଧ୍ୟ କରିଥିଲେ । ହେଲେ ଅନ୍ୟପଟେ ବଲାଙ୍ଗୀର ବିକାଶ ନାଁରେ ଘର ବାଡି ହରାଇବାକୁ ଥିବା ହଜାର ହଜାର ଲୋକ ତଥା ସଚେତନ ନାଗରିକ ଏହାକୁ ତୀବ୍ର ବିରୋଧ କରିଛନ୍ତି । ବିକାଶ ନାଁରେ ବଲାଙ୍ଗୀର ଗରିବ ଲୋକଙ୍କୁ ଉପରେ ଅତ୍ୟାଚାର ହେବାକୁ ଦେବେ ନାହିଁ ବୋଲି କହିଛନ୍ତି କାଉନସିଲର ଶମ୍ଭୁ ନାଗ । ସେହିପରି ଏମାନେ ସହରରେ ଓଲଟା ବନ୍ଦ ନକରିବାକୁ ଡ଼ାକବାଜି ଯନ୍ତ୍ର ପ୍ରଚାର କରିଛନ୍ତି ।

ଯେଉଁ ପ୍ରକଳ୍ପର ନିର୍ମାଣ ହେଲେ ବଲାଙ୍ଗୀର ବିକାଶ ହେବା କଥା କୁହାଯାଉଛି ତାହା ଦ୍ବାରା ହଜାର ହଜାର ଗରିବ ଲୋକ ନିଜ ଘର ହରାଇବେ । ତେଣୁ ଏହି ବିକାଶ ହେଉ କିନ୍ତୁ ଏହାର ରୂପରେଖ ତଥା ଡ଼ିପିଆର ନୂଆ ପ୍ରସ୍ତୁତ କରି ନିର୍ମାଣ କରାଯିବାକୁ ଦାବି ହୋଇଛି । ଆକ୍ସନ କମିଟିର ବନ୍ଦ ଡାକରାକୁ ତୀବ୍ର ବିରୋଧ କରିଛନ୍ତି । ଦରକାର ପଡ଼ିଲେ ଏମାନେ ତୀବ୍ର ଆନ୍ଦୋଳନ କରିବା କଥା ମଧ୍ୟ କହିଛନ୍ତି। ସେପଟେ ବିକାଶ ନାଁରେ ବନ୍ଦ ଡାକରା ଦେଇଥିବା ବଲାଙ୍ଗୀର ଆକ୍ସନ କମିଟି ସଭାପତି ଗୋପାଲଜି ପାଣିଗ୍ରାହୀଙ୍କ ଘରକୁ ମଧ୍ୟ କିଛି ଆନ୍ଦୋଳନକାରୀ ଘେରାଉ କରି ତାଙ୍କ ସହ ଆଲୋଚନା କରଥିଲେ । ହେଲେ ତାହା ବିଫଳ ହୋଇଥିବା ବେଳେ ଏବେ ଏମାନେ ମଧ୍ୟ ବନ୍ଦ ବିରୋଧରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଆକ୍ସନ କମିଟି ସଭାପତି ଗୋପାଲଜି ପାଣିଗ୍ରାହୀ ଏହାକୁ ନେଇ ନିଜ ମତ ରଖିଛନ୍ତି । ତାଙ୍କର ବନ୍ଦ ଡାକରା କେବଳ ବିକାଶ ପାଇଁ । ଆସିଥିବା ଟଙ୍କାର ବିନିଯୋଗ ପାଇଁ ସେ ଦାବି କରିଛନ୍ତି । ତେବେ ଏଥିପାଇଁ ବନ୍ଦ ନିହାତି ଭାବରେ ହେବ ବୋଲି ସେ କହିଛନ୍ତି ।

ବଲାଙ୍ଗୀରର ଦୁଇ ପାୱାର ହାଉସ କୁହାଯାଉଥିବା କଂଗ୍ରେସ ଓ ବିଜେଡି ନେତା ଏଥିରେ ପରୋକ୍ଷରେ ମୁହାଁ ମୁହିଁ ହୋଇଛନ୍ତି । ଯେଉଁଥିରେ ବଲାଙ୍ଗୀର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପୂର୍ବରୁ ଏହି ବିକାଶକୁ ନେଇ ବଲାଙ୍ଗୀର ପୌରପରିଷଦକୁ ଦୋଷ ଦେଇ ଆସୁଛନ୍ତି । ଏପରିକି ଲକ୍ଷ୍ମୀ ଜୋର ପ୍ରକଳ୍ପ, ମିନି ସେକ୍ରେଟେରିଏଟ, ମହାରାଣୀ ସାଗର କାମ ଶୀଘ୍ର ତ୍ବରାନ୍ବିତ କରିବାକୁ ଅନେକ ଥର ଦାବି କରି ଆସିଛନ୍ତି । ସେପଟେ ପୌର ପରିଷଦ ଅଧ୍ୟକ୍ଷା ଗରିବଙ୍କୁ ନେଇ ରାଜନୀତି ନ କରିବା ପାଇଁ କହିଛନ୍ତି । ବିଭିନ୍ନ ପ୍ରକଳ୍ପରେ କିଛି ତ୍ରୃଟି ଥିବା ବେଳେ ତାର ସଂଶୋଧନ ପରେ କାମ ହେବ ବୋଲି ସେ କହିଛନ୍ତି । ସେହିପରି ପୂର୍ବରୁ ଜିଲ୍ଲା ପ୍ରଶାସନ ଏହି ସବୁ କାମର ତଦାରଖ କରୁଥିବା ବେଳେ ଏଥିରେ ପୌରପରିଷଦର କୌଣସି ଭୂମିକା ନଥିଲା ବୋଲି ସେ କହିଛନ୍ତି । ବିକାଶ ନାଁରେ ଏବେ ରାଜନୈତିକ ଜୋର ଧରିଥିବା ବେଳେ ଏହାରି ମଧ୍ୟରେ ଗରିବ ଲୋକ ହିଁ ପେଷି ହେଉଥିବାର କୁହାଯାଇଛି ।

ଇଟିଭି ଭାରତ,ବଲାଙ୍ଗୀର

ABOUT THE AUTHOR

...view details