ବଲାଙ୍ଗୀର:ଘରୋଇ ସ୍କୁଲର ମନମାନି । ଫିସ୍(Fees) ପାଇଁ ଛାତ୍ରକୁ ଦିଆଗଲା ନିର୍ଯାତନା । ଅଭିଭାବକ ଟଙ୍କା ନ ଦେଇପାରିନଥିବାରୁ ସ୍କୁଲ ବାରଣ୍ଡାରେ ଅଢେଇ ଘଣ୍ଟା ଦଣ୍ଡ ଭୋଗିଲା ଛାତ୍ର । ଅଭିଯୋଗ ପରେ ସୋମବାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ଚାଇଲ୍ଡ ଲାଇନ ବିଭାଗ । ଏହାପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
ବଲାଙ୍ଗୀରରେ ଶିକ୍ଷା ନାଁରେ ଚାଲିଛି ବ୍ୟବସାୟ । କାହାକୁ ଖାତିର ନକରି ମର୍ଜିରେ ଚାଲିଛି ସବୁ ଘରୋଇ ସ୍କୁଲ । ସ୍କୁଲ ଫି ଦେଇ ନ ପାରିବାରୁ ଦଶା ଭୋଗିଛନ୍ତି ଜଣେ ଛାତ୍ର । କ୍ଲାସ୍ରୁମରୁ ବାହାର କରି ଅଢେଇ ଘଣ୍ଟା ଧରି ଜଣେ ଛାତ୍ରଙ୍କୁ ସ୍କୁଲ ବାରଣ୍ଡାରେ ବସାଇଲେ ସ୍କୃଲ କର୍ତ୍ତୃପକ୍ଷ । ବଲାଙ୍ଗୀର ସହର ଉପକଣ୍ଠ କୁଇନ ଇଣ୍ଟରନ୍ୟାସନାଲ ସ୍କୁଲରୁ ଏପରି ସଙ୍ଗୀନ ଅଭିଯୋଗ ଆସିଛି ।
ଅଭିଯୋଗ ଅନୁଯାୟୀ, ସ୍କୁଲରେ ପ୍ରାୟ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ କୋରୋନା ମହାମାରୀ ପାଇଁ ଦେଢ ବର୍ଷ ହେଲା ଜଣେ ଛାତ୍ରର ବାପା ସ୍କୁଲ ଫିସ୍ ବୁଝାଇବାରେ ସକ୍ଷମ ହୋଇ ପାରିନଥିଲେ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ କ୍ଲାସରୁମରୁ ବାହାର କରି ବାହାର ବାରଣ୍ଡାରେ ଅଢେଇ ଘଣ୍ଟା ବସାଇଛନ୍ତି। ସ୍କୁଲ ଛୁଟି ପରେ ଛାତ୍ର ଘରକୁ ଯାଇ କାନ୍ଦିବା ସହ ପୁରା ଘଟଣା ପରିବାର ଲୋକଙ୍କୁ କହିଥିଲେ। ଏହାପରେ ସ୍କୁଲକୁ ପୀଡ଼ିତ ଛାତ୍ର ଯିବାକୁ ଆଉ ମଣୁ ନାହାଁନ୍ତି ।
ଏସବୁ ଘଟଣା ଅନ୍ୟ ସହପାଠୀଙ୍କ ସାମ୍ନାରେ ଘଟିଥିବା ଯୋଗୁଁ ଏବେ ଛାତ୍ର ଜଣକ ଘୋର ମାନସିକ ଅବସାଦରେ ଅଛନ୍ତି । ସେପଟେ ଏହାକୁ ନେଇ ଛାତ୍ରର ବାପା ଚାଇଲ୍ଡ୍ ଲାଇନ ସଦସ୍ୟଙ୍କ ନିକଟରେ ଅଭିଯୋଗ କରିଛନ୍ତି ।