ବଲାଙ୍ଗୀର:ଡାକ୍ତରଖାନା ଅବ୍ୟବସ୍ଥାକୁ ନେଇ ଆଜି କଣ୍ଟାବାଞ୍ଜିରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହା ପ୍ରଭାବରେ କଣ୍ଟାବାଞ୍ଜିର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଦୋକାନ ବଜାର ବନ୍ଦ ରହିଛି । କଣ୍ଟାବାଞ୍ଜି ସ୍ଥିତ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟାକୁ ନେଇ ପ୍ରେସ୍ କ୍ଲବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ କରାଯାଇଛି ।
କଣ୍ଟାବାଞ୍ଜି ସ୍ଥିତ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଉପରେ 4ଟି ବ୍ଲକର ଶତାଧିକ ଗ୍ରାମର ଲୋକେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ହେଲେ ଏଠାରେ ଆବଶ୍ୟକତା ଅନୁସାରେ ବ୍ୟବସ୍ଥା ନ ଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଡାକ୍ତର ଏବଂ କର୍ମଚାରୀ ଅଭାବ ଏଠାକାର ମୂଳ ସମସ୍ୟା। ସେହିପରି ଏକ୍ସରେ ମେସିନ ଅଚଳ ହୋଇ ପଡିଥିବା ବେଳେ ଲୋକେ ସାଧାରଣ ଚିକିତ୍ସା ପାଇଁ ମଧ୍ୟ ଖର୍ଚ୍ଚାନ୍ତ ହୋଇ ହଇରାଣ ହେଉଛନ୍ତି । ଅନ୍ୟପଟେ କାର୍ଯ୍ୟରତ ଥିବା ଦୁଇ ଡାକ୍ତରଙ୍କ ଅନ୍ୟତ୍ର ବଦଳି ଏହି ସମସ୍ୟାକୁ ଆହୁରି ଗୁରୁତର କରିଛି । ତେବେ ସବୁ ସମସ୍ୟାର ଶୀଘ୍ର ସମାଧାନ ଦାବି କରି କଣ୍ଟାବାଞ୍ଜି ପ୍ରେସ୍ କ୍ଲବ ପକ୍ଷରୁ ବିଗତ ଦୁଇ ଦିନରୁ ଧାରଣା ଦିଆ ଯାଇଥିଲା । ଯେଉଁଥିରେ ସବୁ ସାମ୍ବାଦିକ ଓ କଣ୍ଟାବାଞ୍ଜିର ବିଭିନ୍ନ ସଙ୍ଗଠନ ସାମିଲ ହୋଇଥିଲେ।