ବଲାଙ୍ଗୀର:ବଲାଙ୍ଗୀରରେ ଆଜି ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଶାନ୍ତି ଶୃଙ୍ଖଳାର ଶେଷ ହୋଇଛି । ଏହି ଭୋଟ କାର୍ଯ୍ୟ ସାରି ଫେରୁଥିବାବେଳେ ଜଣେ ପୋଲିଂ ଅଧିକାରୀ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ମୃତକ ସୋନପୁର ଜିଲ୍ଲା ଦୁଙ୍ଗୁରି ପାଲି ପଞ୍ଚାୟତ କୁଆଁର ଗାଁ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଦାମ ଚରଣ ପୁରୋହିତ ବୋଲି ଜଣାପଡ଼ିଛି ।
ସେ ଟିଟିଲାଗଡ ଅନ୍ତର୍ଗତ ଖୋଲାନରେ ଆଜି ଭୋଟ ଗ୍ରହଣ କେନ୍ଦ୍ରର ପ୍ରିଜାଇଡିିଂ ଅଧିକାରୀ ଭାବରେ କାର୍ଯ୍ୟ କରି ନିଜ ଘରକୁ ବାଇକରେ ଫେରୁଥିଲେ । ତେବେ ବଲାଙ୍ଗୀର ଗୋଏଲ ଭଡ଼ି ଛକରେ ପୋଲିଂ ପାର୍ଟି ନେଇ ଫେରୁଥିବା ଏକ ବସ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍କୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।