ବଲାଙ୍ଗୀର :ସହରର ଶୋଭା ବଢ଼ାଉଥିବା ଲକ୍ଷ୍ମୀ ଜୋର ନାଳ ( Lakshmi Canal) ଏବେ ସହର ପାଇଁ ଦୁଃଖ ପାଲଟିଛି। ବଲାଙ୍ଗୀର ଜିଲ୍ଲାର ଗନ୍ଧରେଳ ଜଙ୍ଗଲରୁ ଏହି ନାଳ ବାହାରି ସହର ଦେଇ ପ୍ରବାହିତ ହେଉଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଫଳେ ତ୍ରୁଟି ପୂର୍ଣ୍ଣ କାମ ଲୋକଙ୍କ ପାଇଁ କାଳ ସାଜିଛି । ଯାହାକୁ ନେଇ ଏବେ ରାଜନୀତି (politics over Balangir Laxmi Canal) ଜୋର ଧରିଛି ।
ବିଜେଡିର ପୁରୁଖା ନେତା ଅନଙ୍ଗ ଉଦୟ ସିଂହ ଦେଓ (BJD leader Anang Uday Singh Deo ) ଏହି ବାବଦକୁ ଆସିଥିବା ଟଙ୍କା ହରିଲୁଟ ହେବା ସହ ଏଥି ପାଇଁ ବଲାଙ୍ଗୀର କଂଗ୍ରେସ ବିଧାୟକ (Congress MLA from Balangir ) ଦାୟୀ ବୋଲି ସେ କହିଛନ୍ତି । ତେବେ କିଛି ବର୍ଷ ତଳେ ରାଜ୍ୟ ସରକାର ଏହି ନାଳର ଉନ୍ନତି ପାଇଁ 20 କୋଟି ଟଙ୍କା ଦେଇଥିଲେ ଏବଂ କାମ ମଧ୍ୟ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ବର୍ଷାରେ ଏହାର ତ୍ରୁଟି ପୂର୍ଣ୍ଣ କାମ ଯୋଗୁଁ ସହର ମଧ୍ୟରେ ବନ୍ୟା ପାଣି ମାଡି ଯାଇଥିଲା । ଯାହାଫଳରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।