ବଲାଙ୍ଗୀର: ବଲାଙ୍ଗୀର ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି(ଶୁକ୍ରବାର) ପୋଲିସ୍ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ପୋଲିସ୍ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଛି । ତେବେ ଗତ ଅକ୍ଟୋବର ୧୩ ତାରିଖରେ ଏହି ମାମଲା ବଲାଙ୍ଗୀର ସିନ୍ଧେକେଲା ଥାନାରେ ରେଜିଷ୍ଟର ହୋଇଥିଲା । ପୋଲିସର ତଦନ୍ତ ପରେ ଏହାର ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲର ପରିଚାଳକ ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ରାଧେକୁ ପୋଲିସ୍ ଅକ୍ଟୋବର ୧୯ ତାରିଖରେ ଗିରଫ କରିଥିଲା ।
ତେବେ ପୋଲିସର ଏକ ସ୍ବତନ୍ତ୍ର ୮ ଟିକିଆ ଦଳ ଏଥିରେ ସାମିଲ ଥିଲେ। ବଲାଙ୍ଗୀର ଝରଣି ଗ୍ରାମର ଯୁବତୀ ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯିବା ସ୍ପଷ୍ଟ ହେବା ପରେ ସନସାଇନ୍ କଲେଜ୍ ଷ୍ଟାଡିୟମରୁ ମୃତ ଶିକ୍ଷୟତ୍ରୀଙ୍କ ଦେହାବଶେଷ ଉଦ୍ଧାର ହୋଇଥିଲା । ଯାହାପରେ ଏଥିରେ ଦୁଇ ଜଣଙ୍କୁ ଗିରଫ କରି ସ୍ବତନ୍ତ୍ର ଭାବରେ ଏହି ମାମଲା ପରିଚାଳନା କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପୋଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା ।