ବଲାଙ୍ଗୀର: ପରିବାର ଦାନ ଖଟୁ ଖଟୁ ଆଜି ଝିଅ ହୋଇଛି ଭିନ୍ନକ୍ଷମ । ମାତ୍ର ସମୟ ସହିତ ସେହି କୁନିଝିଅ ସଂଘର୍ଷ କରି ଆଜି ଜୀବନ ଜିଇଁବା ଶିଖିଯାଇଛି । ତାର ପ୍ରତିଭା ଆଜି କହୁଛି ସେ କାହାରିଠୁ ବି କମ ନୁହେଁ । ଆଖିରେ ଅସୁମାରୀ ସ୍ବପ୍ନ ଭରି ସେ ସାଙ୍ଗସାଥୀଙ୍କ ସହ ସ୍କୁଲ ଯାଉଛି, ନାଚୁଛି ଆଉ ଗାଉଛି ମଧ୍ୟ । ବିଦ୍ୟୁତ ଆଘାତରେ ହାତଗୋଡ଼ ସିନା ହରାଇଛି ହେଲେ ପାଟିରେ ଚିତ୍ର ଆଙ୍କି ସମସ୍ତଙ୍କୁ କରୁଛି ଅବାକ୍ । ଖୋଦ ମୁଖ୍ୟମନ୍ତ୍ରୀ ତାର ନିଆରା ପ୍ରତିଭାକୁ ପ୍ରଶଂସା କରିବା ସହ ଉଜ୍ଜ୍ବଳ ଭବିଷ୍ୟ କାମନା କରିଛନ୍ତି । ସେପଟେ ଭଲ ପାଠ ପଢି ଚାକିରୀ କରିବ ବୋଲି ମଧ୍ୟ କହିଛି କୁନି ଜୀବନ ଯୋଦ୍ଧା । ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ବଡ ସାଇମରା ପଞ୍ଚାୟତ ଯମୁନାବାହାଲ ଗ୍ରାମର ବିଜୟ ନାଗ ଓ ଜନତା ନାଗଙ୍କ ଝିଅ ପାୟଲ ନାଗ ଆଜି ସମସ୍ତଙ୍କ ପାଇଁ ପାଲଟିଛି ଅନନ୍ୟ ଉଦାହରଣ ।
ଜିଲ୍ଲାରେ ପେଟ ପାଟଣା ପାଇଁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟି ଯାଇ ଅକଥନୀୟ ନିର୍ଯାତନା ପାଇଥାନ୍ତି । ଅନେକ ସମୟରେ ପେଟପାଟଣା ପାଇଁ ଯାଇ ସେମାନେ ଜୀବନ ହରିଥାନ୍ତି କିମ୍ବା ସବୁ ଦିନ ପାଇଁ ପାଲଟି ଯାଇଥାନ୍ତି ଅକ୍ଷମ । ତେବେ ଏଭଳି ଏକ ଦୁର୍ଘଟଣାର ଅଜାଣତରେ ଶିକାର ହୋଇଥିଲା ବଲାଙ୍ଗୀର ଜଣେ ନିରୀହ ଶିଶୁ ଏବଂ ନିଜ ହାତ ଗୋଡ ହରାଇ ସବୁଦିନ ପାଇଁ ସେ ଭିନ୍ନକ୍ଷମ ପାଲଟି ଯାଇଥିଲା । ତେବେ ସେହି ଶିଶୁ କିନ୍ତୁ କଠୋର ପରିସ୍ଥିତିରେ ମଧ୍ୟ ଭାଙ୍ଗି ନ ଯାଇ ଏବେ ଜୀବନ ଜୀଇଁବାର ସଂଗ୍ରାମ ଜାରି ରଖିଛି । ତାର ଏହି ସାହସକୁ ସମସ୍ତେ ଏବେ ସଲାମ କରିଛନ୍ତି ।
ଜିଲ୍ଲାରେ ଦାଦନ ଯନ୍ତ୍ରଣା କଣ ଏଠିକାର ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଉଥିବା ଲୋକ ହିଁ ଜାଣନ୍ତି । ଦୁଇ ମୁଠା ଖାଇବା ପାଇଁ ସେମାନେ ଭିଟାମାଟି ଛାଡି ବାହାର ରାଜ୍ୟକୁ ଯାଇଥାନ୍ତି ଏବଂ ସାଙ୍ଗରେ ତାଙ୍କର ଶିଶୁ ମାନେ ମଧ୍ୟ ସେହି ବିଡମ୍ବନାର ଭାଗିଦାରୀ ହୋଇଥାନ୍ତି। ତେବେ ଅନେକ ସମୟରେ ଛାତି ଥରାଇଲା ଭଳି ଘଟଣା ଏହି ଗରିବ ଲୋକଙ୍କ ସହ ଘଟିଥାଏ । ଅନେକ ଏଥିରେ ଜୀବନ ହାରିଥିବା ବେଳେ ଅନେକ ସବୁ ଦିନ ପାଇଁ ଅକ୍ଷମ ହୋଇ ଅସହାୟ ଜୀବନ କାଟି ଥାଆନ୍ତି । ତେବେ ବିଗତ କିଛି ବର୍ଷ ତଳେ ଏହିଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ଦାଦନ ଖଟି ଯାଇଥିବା ନିଜ ମା' ବାପାଙ୍କ ସହ ଯାଇଥିବା ଶିଶୁ ଏକ ଦୁର୍ଘଟଣାରେ ଚାରି ହାତ ଗୋଡ ହରାଇଥିଲେ। ସେହି ଶିଶୁ ପାୟଲ ନାଗ । ଏହି ଘଟଣାକୁ ଏବେ ୭ ବର୍ଷ ବିତି ସାରିଛି ଏବଂ ଏହାରି ମଧ୍ୟରେ ଭିନ୍ନକ୍ଷମ ପାଲଟିଥିବା ସେହି ଶିଶୁ ପାୟଲ ନାଗ ଏବେ ବଡ଼ ହୋଇଛି ।
ପାୟଲ ସହିତ ଘଟିଥିବା ଏହି ଦୁର୍ଘଟଣା ପରେ ସେ ସଂଘର୍ଷମୟ ତାର ଜୀବନକୁ ଜୀଇଁବାର ଚେଷ୍ଟା ଜାରି ରଖିଛି । ସେ ଏବେ ସ୍କୁଲ ଯାଉଛି ପାଠ ପଢୁଛି । ନିଜର ଅକ୍ଷମତାରେ ହାରି ନ ଯାଇ କିଛି କରି ଦେଖାଇବାର ପଣ କରିଛି । ହାତ ନ ଥିଲେ ମଧ୍ୟ ସେ ନିଜ ମୁହଁର ସାହାଯ୍ୟରେ ଲେଖାପଢ଼ା କାମ ସହ ଭଳିକି ଭଳି ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରିଛି । ସେ ନିକଟରେ ସ୍କୁଲସ୍ତରୀୟ ସୁରଭି ଚିତ୍ରାଙ୍କନରେ ନିଜର କମାଲ ଦେଖାଇ କ୍ଲଷ୍ଟର ସ୍ତରରେ ପ୍ରଥମ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ଏନେଇ ପାୟଲ କହିଛନ୍ତି, "ମୋ ହାତଗୋଡ଼ ନଥିଲେ ବି ମୋତେ କୌଣସି ଦୁଃଖ ନାହିଁ । ମୁଁ ପାଟିରେ ସବୁକିଛି କରିପାରୁଛି । ପାର୍ବତୀଗିରି ବାଲନିକେତନରେ ମୁଁ ରହୁଛି । ଏଠାରେ ସମସ୍ତେ ମୋର ସାହାଯ୍ୟ କରନ୍ତି । ମୁଁ ପାଟିରେ ଚିତ୍ର ମଧ୍ୟ ଆଙ୍କି ପାରୁଛି । ଆଗକୁ ଜଣେ ଚିତ୍ରକାର ବନିବାକୁ ଚାହିଁଛି ।" ଏଭଳି କି ତାର ପ୍ରତିଭାକୁ ନିଜେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।