ବଲାଙ୍ଗୀର:ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍ ଆଇନ ଓ ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ୩ ଦିନ ଧରି ଚାଲିଥିଲା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ହେଲେ ଗତକାଲି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ତେବେ ଆନ୍ଦୋଳନ ଯୋଗୁଁ ସମସ୍ତ ବ୍ୟବସ୍ଥା ବିଗିଡି ଥିବାବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବଲାଙ୍ଗୀରବାସୀ ।
ଯୋଗାଣ ବ୍ୟବସ୍ଥା ଠପ୍ ଯୋଗୁଁ ଏହି ସମସ୍ୟା ହୋଇଥିବା ବେଳେ ଆସନ୍ତାକାଲି ଠାରୁ ସବୁକିଛି ସ୍ବାଭାବିକ ବୋଲି ଜଣାପଡିଛି । ସାରା ଭାରତ ତଥା ଓଡ଼ିଶାରେ ଡ୍ରାଇଭର ସଂଘ ସରକାରଙ୍କ ନୂଆ ଆଇନକୁ ବିରୋଧ କରି ଦୁଇ ଦିନ ହେଲା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଥିଲେ । ଏପରିକି ସବୁଠି ଡ୍ରାଇଭରମାନେ ଧାରଣା ମଧ୍ୟ ଦେଇଥିଲେ । ଏମାନଙ୍କ ଆନ୍ଦୋଳନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଯାହା ପାଇଁ ଲୋକେ ଏଠି ହନ୍ତସନ୍ତ ହୋଇଥିଲେ ।
ଆନ୍ଦୋଳନର ଦ୍ଵିତୀୟ ଦିନରେ ପେଟ୍ରୋଲିୟମ ଯୋଗାଣ ବନ୍ଦ ହୋଇଯିବାରୁ ଲୋକେ ପେଟ୍ରୋଲ ଡିଜେଲ ପାଇଁ ନାହିଁ ନଥିବା ଅସୁବିଧା ଭୋଗିଥିଲେ । ସେହିପରି ବଲାଙ୍ଗୀର ଜିଲ୍ଲାର 90 ପ୍ରତିଶତ ତେଲ ଟାଙ୍କିରେ ତେଲ ସରି ଯାଇଥିବାରୁ କିଛି ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।