ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ନୂଆ ଅନ୍ନକୁ ଆହରଣ କରିବାର ପର୍ବ । ଏଥିସହ ଏକତା ଓ ସଦଭାବନାର ମଧ୍ୟ ଏହା ଏକ ବଡ ପର୍ବ ଅଟେ । ବିଶେଷକରି ଏଥିରେ ଥିବା ନୂଆଖାଇ ଜୁହାର ଭେଟ ପରମ୍ପରା ମଣିଷ ଭିତରେ ସଦଭାବନା ଓ ଭାତୃଭାବ ଜାତ କରିଥାଏ । ଜୁହାର ଭେଟ ପରମ୍ପରା ଶତ୍ରୁକୁ ବି ମିତ୍ର କରିଥାଏ । ପରମ୍ପରା ଅନୁସାରେ, ସମସ୍ତେ ମିଳି ମିଶି ନୂଆ ଖାଇବା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି । ଛୋଟମାନେ ଗୁରୁଜନଙ୍କୁ ନତମସ୍ତକ ହୋଇ ହାତ ଯୋଡ଼ି ପ୍ରଣାମ ବା ନୂଆଖାଇ ଜୁହାର ଭେଟ କରିଥାଆନ୍ତି । ସେହିପରି ବଡ଼ମାନେ ମଧ୍ୟ ସ୍ନେହ ଓ ଆଶୀର୍ବାଦ ତାଙ୍କ ଉପରେ ଢାଳି ଦେଇଥାଆନ୍ତି ।
ନୂଆଖାଇ ଦୂର ହୋଇ ଯାଇଥିବା ପରିବାରକୁ ମଧ୍ୟ ଏକାଠି କରିଥାଏ । ଯାହାର ଉଦାହରଣ ଖୋଦ୍ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପରିବାର ଅଟେ । ତାଙ୍କ ପରିବାରରେ ପ୍ରାୟ ଶତାଧିକ ସଦସ୍ୟ ଅଛନ୍ତି । କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସମସ୍ତେ ଏକାଠି ହୋଇପାରନ୍ତି ନାହିଁ । ହେଲେ ନୂଆଖାଇ ଆସିଲେ ପରସ୍ପର ମଧ୍ୟରେ ଥିବା ସବୁ ମାନମାଳିନ୍ୟ ଦୂର କରି ଶହେରୁ ଅଧିକ ପରିବାର ସଦସ୍ୟ ଏକଜୁଟ ହୋଇ ନୂଆ ଖାଇଥାନ୍ତି । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ମଧ୍ୟ ହୋଇଥାଏ । ନବାନ୍ନର ପର୍ବ ନୂଆଖାଇ ହିଁ ପୁରା ପରିବାରକୁ ଏକାଠି କରିଥାଏ । ଯିଏ ଯେଉଁଠି ଥିଲେ ବି ଘରକୁ ଫେରି ମିଳିମିଶି ନୂଆ ଖାଇ ଥାଆନ୍ତି । ଏଥିରେ ବିଧାୟକଙ୍କ ୫ଟି ପିଢ଼ିର ସଦସ୍ୟ ଏକାଠି ହୋଇଥାନ୍ତି ।
ଏହାମଧ୍ୟ ପଢନ୍ତୁ: ଏକାଠି କରିଛି ନୂଆଖାଇ, ନବାନ୍ନ ଖାଇଲେ ଗୋଟିଏ ପରିବାର ଶତାଧିକ ସଦସ୍ୟ