ବଲାଙ୍ଗୀର:ଚର୍ଚ୍ଚାରେ ବଲାଙ୍ଗୀର ପାଟଣାଗଡ଼ ତହସିଲଦାର । ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଟ୍ରାକ୍ଟରରେ ବୋହିଲେ ଆବର୍ଜନା । ସାଧାରଣତଃ ବଡ଼ବଡ଼ିଆ ବାବୁମାନେ ଅଫିସରେ ଆରାମରେ ବସି କାମ କରୁଥିବା ବେଳେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ କିନ୍ତୁ ସାଧାରଣ ଲୋକଟିଏ ପରି ମନ୍ଦିରରେ ପରିସରରେ ପଡିଥିବା ଆବର୍ଜନା ସଫା କରୁଥିବାର ଦେଖାଯାଇଛି । ନିଜର ଏପରି କାର୍ଯ୍ୟରେ କୌଣସି କାମ ଛୋଟ ନୁହେଁ ବୋଲି ସେ ପ୍ରମାଣିତ କରିଛନ୍ତି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି ।
ବଲାଙ୍ଗୀରର ପ୍ରସିଦ୍ଧ ହରିଶଙ୍କର ପୀଠରେ ପାଞ୍ଚ ଦିନ ଧରି ନୃସିଂହ ଚତୁର୍ଦ୍ଦଶୀ ମେଳା ଆୟୋଜିତ ହୋଇଥିଲା । ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଏହି ମେଳା ଦେଖିବାକୁ ଆସିଥିଲେ । ତେବେ ମେଳା ସରିବା ପରେ ମନ୍ଦିର ପରିସରରେ କୁଢ଼ କୁଢ଼ ମଇଳା ଆବର୍ଜନା ଜମା ହୋଇ ରହିଥିଲା । ଏହାର ସଫେଇ ପାଇଁ ସ୍ଥାନୀୟ ସଫେଇ କର୍ମଚାରୀ ସହ ତିନୋଟି ତହସିଲର କର୍ମଚାରୀ ଓ କିଛି ସଂଗଠନ ଆଗେଇ ଆସିଥିଲେ । ଏହି ସଫେଇ କାର୍ଯ୍ୟରେ ପାଟଣାଗଡ଼ ତହସିଲଦାର ମଧ୍ୟ ସାମିଲ ହୋଇଥିଲେ । ଆବର୍ଜନାଗୁଡିକୁ ଟ୍ରାକ୍ଟର ଟ୍ରଲିରେ ରଖାଯାଇଥିଲାଏବଂ ଗୋଟିଏ ଟ୍ରାକ୍ଟର ନିୟୋଜିତ ଥିବାରୁ ବାରମ୍ବାର ମଇଳା ଅନ୍ୟତ୍ର ଫିଙ୍ଗିବାକୁ ପଡୁଥିଲା ।