ଓଡିଶା

odisha

ETV Bharat / state

ଟେଲିଫୋନ ଅପରେଟରରୁ ବଲାଙ୍ଗୀରର ପ୍ରଥମ ଫୁଲ ଚାଷୀ - ବଲାଙ୍ଗୀର ଫୁଲ ଚାଷୀ

ନିଶା ଥିଲା ଫୁଲ ଗଛ ଲଗାଇବା । ଯାହା ଏବେ ପେଷାରେ ପରିଣତ ହୋଇ ନେଇଛି ବଡ ବ୍ୟବସାୟର ରୂପ । ଆଉ ସେ ପାଲଟିଛନ୍ତି ବଲାଙ୍ଗୀର ଜିଲ୍ଲାର ପ୍ରଥମ ଫୁଲ ଚାଷୀ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

aa
ଟେଲିଫୋନ ଅପରେଟରୁ ବଲାଙ୍ଗୀରର ପ୍ରଥମ ଫୁଲ ଚାଷୀ

By

Published : Feb 23, 2020, 12:50 PM IST

Updated : Feb 23, 2020, 1:16 PM IST

ବଲାଙ୍ଗୀର: ଫୁଲ କାହାକୁ ବା ଆକୃଷ୍ଟ କରିନଥାଏ । ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ମନପ୍ରାଣରେ ଅପୂର୍ବ ଆନନ୍ଦ ଭରିଥାଏ ରଙ୍ଗ ବେରଙ୍ଗୀ ଫୁଲ । ତେବେ ଏହି ଫୁଲର ମହକରେ ମୁଗ୍ଧ ହୋଇ ନିଜର ପରିଚୟ ତିଆରି କରିଛନ୍ତି ବଲାଙ୍ଗୀରର ଉମାଚରଣ ବେହେରା । ପ୍ରଥମେ ସଉକ ପାଇଁ ଫୁଲ ଚାଷ ଓ ପରେ ତାହାହିଁ ତାଙ୍କୁ ଆତ୍ମ ନିର୍ଭରଶୀଳ କରିପାରିଛି । କେବଳ ବଲାଙ୍ଗୀର ନୁହେଁ ସାରା ପଶ୍ଚିମ ଓଡ଼ିଶାରେ ନିଜ ପରିଶ୍ରମ ବଳରେ ଫୁଲ ଚାଷରେ ସଫଳ ହୋଇ ସୃଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ ।

ଟେଲିଫୋନ ଅପରେଟରରୁ ବଲାଙ୍ଗୀର ପ୍ରଥମ ଫୁଲ ଚାଷୀ

ବଲାଙ୍ଗୀରର ଉମାଚରଣ ବେହେରା ପେଷାରେ ଜଣେ ଟେଲିଫୋନ ଅପରେଟର । ତାଙ୍କର ସ୍ବଳ୍ପ ଦରମାରେ ପରିବାର ଚଳାଇବା ସହ ଭଡା ଘରେ ରହି ଜୀବନ ଅତିବାହିତ କରୁଥିଲେ । ତାଙ୍କର ଫୁଲ ପ୍ରତି ଥିବା ଦୁର୍ବଳତା ତାଙ୍କୁ ସେହି ଭଡା ଘରେ ସଉକ ପାଇଁ ଫୁଲ ଗଛ ଲଗାଇବାର ପ୍ରେରଣା ଦେଇଥିଲା। ଅଳ୍ପ ଦରମା ସତ୍ତ୍ବେ ବି 400ଟି କୁଣ୍ଡରେ ଭଳିକି ଭଳି ଫୁଲ ଲଗାଇ ଆଖପାଖ ଲୋକଙ୍କୁ ଚକିତ କରିଦେଇଥିଲେ। ପରେ ତାଙ୍କର ଏହି ସଉକ ତାଙ୍କୁ ଏହାକୁ ବଡ ଆକାରରେ କରିବାର ଉତ୍ସାହ ଦେଇଥିଲା। ଧାର ଉଧାର କରି ବଲାଙ୍ଗୀର ଉତ୍କଳ ନଗରରେ ଜମି ଖଣ୍ଡିଏଁ କିଣି ସେଥିରେ ମାଟି ସଜାଡି ଆରମ୍ଭ କରିଥିଲେ ବିଭିନ୍ନ ପ୍ରଜାତିର ଫୁଲ ଚାଷ। ଆଉ ଜିଲ୍ଲାରେ ସେ ପ୍ରଥମ ଫୁଲ ଚାଷୀ ଭାବରେ ନାଁ କରିବା ସହ ନିଜର ପରିଚୟ ତିଆରି କରିଥିଲେ ।

ସେହିପରି ସେ ଚାକିରିରୁ ଅବସର ନେବା ପରେ ଏଥିପ୍ରତି ଆହୁରି ଧ୍ୟାନ ଦେଇ ଆଗକୁ ବଢି ଚାଲିଥିଲେ। ଏବଂ ଏହାକୁ ବ୍ୟବସାୟିକ ରୂପଦେଇ ଫୁଲ, ପନିପରିବା, ଫଳ ଭଳି ଚାରା ବିକ୍ରୀ କରି ଲୋକଙ୍କ ବଗିଚାର ସୌନ୍ଦର୍ଯ୍ୟ ବଢାଇଥିଲେ । ତେବେ ଏହା ପଛରେ ତାଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ପୂର୍ଣ୍ଣ ସହଯୋଗ କରିଥିଲେ। ସମସ୍ତଙ୍କ ମିଳିତ ଉଦ୍ୟମରେ ଦେଶ ଓ ଦେଶ ବାହାରୁ ଗଛ ଚାରା ସବୁ ଆଣି ଏଠି ତାକୁ ବିକ୍ରି କରିବା ଆରମ୍ଭ କରିଥିଲେ। ସମାନ ଭାବରେ ନିଜେ ମଧ୍ୟ ଚାରା ତିଆରି କରି ତାକୁ ବିକ୍ରି କରିବା ଫଳରେ ତାଙ୍କର ଆର୍ଥିକ ପରିସ୍ଥିତିରେ ମଧ୍ୟ ସୁଧାର ଆସିବା ସହ ସେମାନେ ଆତ୍ମନିର୍ଭରଶୀଳ ହୋଇଥିଲେ । ତେବେ ବିଭିନ୍ନ ଫୁଲ ଓ ପନିପରିବା ପ୍ରଦର୍ଶନୀରେ ମଧ୍ୟ ଏମାନେ ସାମିଲ ହୋଇ ଅନେକ ଥର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଆଉ ଫୁଲ ପ୍ରେମୀଙ୍କ ପାଇଁ ପାଲଟିଛନ୍ତି ଅନନ୍ୟ ଉଦାହରଣ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Feb 23, 2020, 1:16 PM IST

ABOUT THE AUTHOR

...view details