ଓଡିଶା

odisha

ETV Bharat / state

ଦାଦନ ଖଟିବାକୁ ଗଲେ ସମିତି ସଭ୍ୟ, ସରକାରଙ୍କୁ ଘେରିଲେ ବିରୋଧି - ଦାଦନ ଖଟିବାକୁ ଗଲେ ସମିତି ସଭ୍ୟ

ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଗଲେ ସମିିତି ସଭ୍ୟ । ସରକାରଙ୍କୁ ନିନ୍ଦା କଲେ ବିରୋଧି ଦଳ ନେତା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 8, 2023, 2:23 PM IST

panchayat samiti member left home for poverty

ବଲାଙ୍ଗୀର:ନିଜ ରାଜ୍ୟରେ କି ଜିଲ୍ଲାରେ ମିଳିଲା ନାହିଁ କାମଧନ୍ଦା । କଲବଲ କଲା ପରିବାର ଚଳାଇବା ଚିନ୍ତା । ଶେଷରେ ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଗଲେ ସମିତି ସଭ୍ୟ । ବଲାଙ୍ଗୀର ଜିଲ୍ଲା ସୁରଡ଼ା ପଞ୍ଚାୟତର ସମିତି ସଭ୍ୟ କମଲେଶ ସୁନା ପେଟପାଟଣା ପାଇଁ ନିଜ ପରିବାର ସହ ଏବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । କିନ୍ତୁ ଗାଁରେ ତାଙ୍କର ବୃଦ୍ଧପିତା ମାତା ଓ ଚାରି ବର୍ଷର ଶିଶୁକୁ ଛାଡି ଯାଇଛନ୍ତି । ତେବେ ଏଠାରେ ଜନ ପ୍ରତିନିଧିଙ୍କ ଯଦି ଏପରି ଅବସ୍ଥା ତେବେ ସାଧାରଣ ଲୋକଙ୍କ ଅବସ୍ଥା କିପରି ଥିବ ତାହା ଅନୁମେୟ କରି ହେଉଛି ।

ସମିତି ସଭ୍ୟ କମଲେଶ ସୁନା ବିଜେଡି ସମର୍ଥିତ ପ୍ରାର୍ଥୀ ଭାବରେ ବିଜୟୀ ହୋଇଥିଲେ । ନିଜେ ଅଞ୍ଚଳର ବିକାଶ ସହ ଲୋକଙ୍କ ବିକାଶ କରିବା ଥିଲା ତାଙ୍କ ଉଦ୍ଦେଶ୍ୟ । ହେଲେ ଗରିବୀ ତାଙ୍କ ପିଛା ଛାଡି ନଥିଲା । ଜନ ପ୍ରତିନିଧି ହୋଇ ମଧ୍ୟ ମିଳି ନଥିଲା ସାହାଯ୍ୟ କିମ୍ବା କାମଧନ୍ଦା । ଶେଷରେ ତାଙ୍କୁ ବାହାର ରାଜ୍ୟକୁ ପେଟ ପାଟଣା ପାଇଁ ଯିବାକୁ ପଡିଛି । ସେପଟେ ଏ ସମ୍ପର୍କରେ ପ୍ରଶାସନ ଓ ସରକାରଙ୍କ ପାଖରେ ଖବର ଥିବାବେଳେ ଏଯାଏଁ ସମସ୍ତେ ଚୁପ ବସିବା ଚର୍ଚ୍ଚାର ବିଷୟ ହୋଇଛି । ବିରୋଧୀ ଏହାକୁ ନେଇ ସରକାର ଓ ପ୍ରଶାସନକୁ ଘେରିଛନ୍ତି । ବଲାଙ୍ଗାର ଜିଲ୍ଲାର ଦାଦନ ଶ୍ରମିକ ଘଟଣା ନୂଆ ନଥିବା ବେଳେ ଏହା ଅତି ଲଜ୍ଜାଜନକ ଓ ସରକାରୀ ବିକାଶର ଅସଲ ମୁଖା ଖୋଲି ଥିବାର ଚର୍ଚ୍ଚା ହେଉଛି ।

କୋଶଳବାଦୀ ନେତା ପ୍ରମୋଦ ମିଶ୍ର କହିଛନ୍ତି, ''ଏହି ଘଟଣା ଆମ ଅଞ୍ଚଳର ଅର୍ଥନୈତିକ ଅବସ୍ଥାର ଅସଲ ଚିତ୍ର ବୟାନ କରୁଛି । ଯେଉଁଠି ଜନ ପ୍ରତିନିଧି ଦାଦନ ଖଟି ଯାଉଛନ୍ତି ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କେମିତି ଥିବ ତାହା ସ୍ପଷ୍ଟ ଜଣାପଡୁଛି । ଓଡ଼ିଶା ସରକାର ଏ ଅଞ୍ଚଳକୁ କେମିତି ରଖିଛନ୍ତି ତାହା ଏଥିରୁ ଅନୁମେୟ । ତେଣୁ ଅଞ୍ଚଳର ବିକାଶ ପାଇଁ କେବଳ ଅଲଗା କୋଶଳ ରାଜ୍ୟ ଗଠନ ହିଁ ଏକମାତ୍ର ରାସ୍ତା ।''

''ସେହିପରି ବିଜେପି ବରିଷ୍ଠ ନେତା ଗୋପାଳଜି ପାଣି ଗ୍ରାହୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି । ଦାଦନ ପାଇଁ ବଲାଙ୍ଗୀର ଜିଲ୍ଲା ସବୁ ବେଳେ ଚର୍ଚ୍ଚିତ ରହୁଥିବା ବେଳେ ଅବସ୍ଥା ଏବେ ବି ସମାନ ଅଛି । ଶାସକ ଦଳ ଦୀର୍ଘ 25 ବର୍ଷ ହେବ ଶାସନ କରୁଛି ଏବଂ ବିକାଶ ନାଁରେ ମୁଖ୍ୟମନ୍ତ୍ରୀ ଅନେକ ସମ୍ମାନ ପାଉଛନ୍ତି । ହେଲେ ବାସ୍ତବ ଚିତ୍ର ଏହା ଯେ ଆଜି ବି ଲୋକ ଦାଦନ ଖଟି ଯାଉଛନ୍ତି ଏବଂ ନିର୍ଯାତିତ ହେଉଛନ୍ତି । ଟିଟିଲାଗଡ଼ର ଜଣେ ଟାଣୁଆ ମନ୍ତ୍ରୀଙ୍କ ବିଧାନସଭା ମଣ୍ଡଳୀ ହୋଇଥିବା ବେଳେ ତାଙ୍କ ଦଳର ଜନ ପ୍ରତିନିଧି ଦାଦନ ଖଟିଯିବା ଅତ୍ୟନ୍ତ ଦୁଃଖର ବିଷୟ ଓ ନିନ୍ଦାର ବିଷୟ ।''

ସେପଟେ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଏହାକୁ ନେଇ ସରକାରକୁ ଦୋଷ ଦେଇଛନ୍ତି । ଜିଲ୍ଲାରୁ ସବୁ ବର୍ଷ ଲକ୍ଷାଧିକ ଲୋକ ଦାଦନ ଖଟି ଯାଉଛନ୍ତି । ଯାହାକୁ ନେଇ ସେ ଅନେକ ଥର ବିଧାନସଭାରେ ପ୍ରଶ୍ନ କରିଥିଲେ ସୁଦ୍ଧା ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ସେହିପରି ପୂର୍ବରୁ ଦେଓଗାଁ ବ୍ଲକର ଉପାଧକ୍ଷ ଦାଦନ ଖଟି ଯିବା ଚର୍ଚ୍ଚା ହୋଇଥିଲା । ଏବେ ପୁଣି ଶାସକ ଦଳର ଜଣେ ସମିତି ସଭ୍ୟ ଦାଦନ ଖଟିଯିବା ପ୍ରମାଣିତ କରୁଛି ଯେ ଏଠି ସ୍ଥତି କେତେ ଜଟିଳ । ''

ଜଣେ ଜନପ୍ରତିନିଧି ଦାଦାନ ଖଟିବାକୁ ଯିବା ଘଟଣାକୁ ନେଇ ଜିଲ୍ଲାରେ ସରକାର ବିରୋଧୀ ପ୍ରତିକ୍ରିୟା ପ୍ରକାଶ ପାଉଛି । ଦରଦାମ ବୃଦ୍ଧି ସହ ଦୁର୍ନୀତି ଏଠିକାର ଗରିବଙ୍କ ପାଇଁ କାଳ ସାଜିଛି । ସରକାର ତୁରନ୍ତ ଏହା ଉପରେ ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର । ତେବେ ସମୟ ଥାଉ ଥାଉ ବନ୍ଧ ନ ବାନ୍ଧିଲେ ଆଗକୁ ସମସ୍ୟା ହେବ ଓ ସରକାର ଦାୟୀ ହେବେ ବୋଲି କହିଛନ୍ତି ନରସିଂହ । ସେପଟେ ସମିତି ସଭ୍ୟ ଦାଦନ ଯିବାକୁ ନେଇ ଟିଟିଲାଗଡ଼ ବିଡ଼ିଓଙ୍କୁ ପ୍ରଶାସନ ରିପୋର୍ଟ ତଲବ କରିବ ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ କହିଛନ୍ତି । ଏବେ ଏହି ବିଷୟ ନେଇ ସମସ୍ତେ ଚୁପ ବସିବା ଆହୁରି ଚିନ୍ତାର ବିଷୟ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details