ବଲାଙ୍ଗୀର: ଚଳିତବର୍ଷ ବଲାଙ୍ଗୀର ଜିଲ୍ଲାରେ ବମ୍ଫର ଧାନ ଚାଷ ହୋଇଛି। ଅନୁକୂଳ ପାଗ ଯୋଗୁଁ ଭଲ ଚାଷ କରି ଚାଷୀ ମଧ୍ୟ ବେଶ ଖୁସି ହୋଇଥିଲେ । ହେଲେ ଏହି ଖୁସି ବେଶି ଦିନ ରହିଲାନି । ଚାଷ ତ ଭଲ ହେଲା, ହେଲେ ଧାନ ବିକ୍ରିକୁ ନେଇ ଚାଷୀ ମୁଣ୍ଡରେ ପଡିଛି ଚଡକ । ଜିଲ୍ଲାରେ ନଭେମ୍ବର ମାସରୁ ଧାନ କିଣା ଆରମ୍ଭ ହୋଇଯାଇଛି । ହେଲେ ସବୁ ମଣ୍ଡିରେ 5 କେଜିରୁ ଅଧିକ ଦାନ କଟନୀଛଟନୀ ହେଉଥିବାର ଅଭିଯୋଗ ହୋଇଛି । ଚାଷୀ ଅମଳ ଫସଲର ପ୍ରକୃତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଗୋଟେ ପଟେ ମିଲର୍ ମାନେ ଅଫିସର ଓ ମଣ୍ଡିକୁ ହାତବାରିସୀ କରି ମାଲେମାଲ ହେଉଛନ୍ତି । ଆଉ ଆରପଟେ ଚାଷୀ ପୁଣି ଶୋଷିତ ହେଉଛନ୍ତି ।
ମଣ୍ଡିରେ ପଡିଛି ହଜାର ହଜାର ବସ୍ତା ଧାନ ଧାନ ବିକ୍ରୀ କରିବା ଚାଷୀଙ୍କ ପାଇଁ ଟେନସନ ପାଲଟିଛି । ଗୋଟିଏ ପଟେ 1 କ୍ବିଣ୍ଟାଲ ଧାନ ଚାଷ ପାଇଁ 1831 ଟଙ୍କା ଖର୍ଚ୍ଚ ହେଉଥିବାର ରାଜ୍ୟ ସରକାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ । ଏବଂ ବର୍ତ୍ତମାନ ଧାର୍ଯ୍ୟ ହୋଇଥିବା ଧାନର ସର୍ବନିମ୍ନ ମୂଲ୍ୟ 1868 ଟଙ୍କା ଥିବା ବେଳେ ଚାଷୀର ଲାଭ ମାତ୍ର 37 ଟଙ୍କା ହେଉଛି । ତାହା ପୁଣି ଯଦି କଟନୀଛଟନୀ ନହୁଏ ।
ସେପଟେ ବଲାଙ୍ଗୀର ଜିଲ୍ଲାରେ ଗତ ନଭେମ୍ବର ମାସରୁ ଧାନ କିଣା ଚାଲିଥିବାବେଳେ ମୋଟ 176 ଟି ପ୍ୟାକ୍ସ ଓ ମହିଳା SHG ଦ୍ୱାରା ଧାନ କିଣା ଯାଉଛି । ଏବଂ ଜିଲ୍ଲା ତମାମ ସବୁ ମଣ୍ଡିରେ ପ୍ରତି କ୍ବିଣ୍ଟାଲ ପିଛା 5 କେଜିରୁ ଉର୍ଦ୍ଧ୍ବ କଟନୀଛଟନୀ ହେଉଛି । ଯାହାଫଳରେ ବିବାଦ ଦେଖାଦେଇ ସବୁ ମଣ୍ଡିରେ ହଜାର ହଜାର କ୍ବିଇଣ୍ଟାଲ ଧାନ ପଡି ରହିଛି । ତେବେ ବଲାଙ୍ଗୀର ଭଳି ଶୁଷ୍କ ଓ ଅଣ ଜଳସେଚିତ ଅଞ୍ଚଳରେ ଚାଷୀ ସବୁବେଳେ ପ୍ରାକୃତିକ ବିପର୍ଯୟର ମାଡ଼ ସହି ଆସୁଥିବା ବେଳେ ଥରକର ଚାଷ ଉପରେ ତାର ବର୍ଷ ତମାମର ଜୀବିକା ନିର୍ଭର କରିଥାଏ । ତେବେ ଏବର୍ଷ ଭଲ ଚାଷ ହୋଇଥିବାବେଳେ ଧାନର ଭଲ ମୂଲ୍ୟ ମିଳିବ ଓ ସଂସାର ଚାଲିବ ବୋଲି ଚାଷୀ ଆଶା ରଖିଥିଲେ । ହେଲେ ମିଲର, ଅଧିକାରୀ ଓ ମଣ୍ଡିର ମିଳିତ ଚକ୍ରବ୍ୟୁହରେ ପୁଣି ଚାଷୀ କଟଣୀ ଛଟନୀର ଶିକାର ହେଉଛି ।
ଅନ୍ୟ ପଟେ ସବୁ ଜଳ ଜଳ ଦେଖା ଯାଉଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ ଭାବରେ ଅସ୍ୱୀକାର କରିଛନ୍ତି ଯୋଗାଣ ବିଭାଗ ଅଧିକାରୀ । 158 ଟି ଓଏକ୍ସ ତଥା 16 ଟି ମହିଳା SHG ଦ୍ୱାରା ସୁରୁଖୁରୁରେ ଧାନ କିଣା ପ୍ରକ୍ରିୟା ଚାଲିଥିବାର କହିଛନ୍ତି । ସେହି ପରି ଆରମ୍ଭରେ ହିଁ ତିନି ଲକ୍ଷ କ୍ବିଣ୍ଟାଲରୁ ଅଧିକ ଧାନ କିଣା ସରିଥିବାର କହିଛନ୍ତି । ମିଲର, ମଣ୍ଡି ଓ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ତାର ଫସଲର ଉଚିତ ମୁଲ୍ୟ ପାଇବାରୁ ବଞ୍ଚିତ ଥିବାବେଳେ ଶୋଷଣର ଶିକାର ହଉଛି । ସରକାର ଏ ଦିଗରେ ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
ବାଲଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ