ବଲାଙ୍ଗୀର:ଗରିବଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଆଜି ବି ଅନେକ ହିତାଧୀକାରୀଙ୍କ ପାଖରେ ଯୋଜନା ପହଞ୍ଚି ନାହିଁ । ବଲାଙ୍ଗୀର ଜିଲ୍ଲାରେ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ରାସନ କାର୍ଡ ମିଳିନାହିଁ । ଅସହାୟ ଗରିବ ବୃଦ୍ଧା ସୁମିତ୍ରା ମହନ୍ତ ଏବେ ବି ଚାଉଳ ମୁଠାଏ ପାଇବାରୁ ବଞ୍ଚିତ । ଏନେଇ ସୂଚନା ପାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ପୌର ପ୍ରଶାସନ। ଅସହାୟ ବୃଦ୍ଧାଙ୍କର ଏପରି ସ୍ଥିତି ଲୋକଙ୍କ ପାଖରେ ସରକାରୀ ଯୋଜନା କେତେ ପହଞ୍ଚିଛି ପାରିଛି ତାହା ସ୍ପଷ୍ଟ କରିଛି ।
ବଲାଙ୍ଗୀରର ଜଣେ ଅସହାୟ ଗରିବ ବୃଦ୍ଧା ପରିଣତ ବୟସରେ ମୁଠାଏ ଚାଉଳ ପାଇଁ ସଂଘର୍ଷ କରୁଛନ୍ତି । ସରକାର ସାହାଯ୍ୟ ପାଇଁ ହାତ ଯୋଡି ବିନତି କରିଛନ୍ତି । ଖବର ସମାନାକୁ ଆସିବା ପରେ ପୌର ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇଛି । ବଲାଙ୍ଗୀର ରୁଗୁଡି ପଡା ନିବାସୀ ସୁମିତ୍ରା ମହନ୍ତ। ବୟସ ପାଖାପାଖି ୮୦ ବର୍ଷ । ଘର କହିଲେ ଭଙ୍ଗା ଦଦରା ଚାଲ ଛପର ଘର । ପରିଣତ ବୟସରେ ସରକାରୀ ଯୋଜନାରେ ଚାଉଳ ମୁଠାଏ ପାଇନଥିବା ବେଳେ ଆବାସ ଯୋଜନା ସାତ ସପନ ହୋଇଛି । ପୂର୍ବରୁ ତାଙ୍କ ନାଁରେ ରାସନ କାର୍ଡ ଥିଲା। ହେଲେ ତାଙ୍କର ଟିପ ଚିହ୍ନ ମେଳ ନ ଖାଇବାରୁ ତାହା ରାସନକାର୍ଡ କଟି ଯାଇଛି । ତିନି ମାସ ହେବ ସେ ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି ।
ଠିକରେ ଚାଲି ବୁଲି ପାରୁନଥିବା ବେଳେ ସୁମିତ୍ରାଙ୍କୁ ଭଲ ଭାବେ ଦେଖା ବି ଯାଉନାହିଁ । ଶଯ୍ୟାରେ ପଡି ରହିଛନ୍ତି ସୁମିତ୍ରା । ତାଙ୍କ ଚିକିତ୍ସା ଓ ଦେଖରେଖ କରୁଥିବା ତାଙ୍କ ପୁଅ ବୋହୂ ଦିନ ମଜୁରିଆ ହୋଇଥିବା ବେଳେ ବୃଦ୍ଧା ମାଆଙ୍କ ଚାଉଳ ପାଇଁ ସବୁ ଠି ଗୁହାରି କରି ନୟାନ୍ତ ହୋଇଥିବା କହିଛନ୍ତି । ଭାଗ୍ୟକୁ ଆଦରି ଜୀବନ ଜୀଇଁବାର ସଂଘର୍ଷ ଜାରି ରଖିଛନ୍ତି ।