ବଲାଙ୍ଗୀର: ଟାଣ ଖରା ସହି ନପାରି ଅଚେତ ହେଲେ ବୃଦ୍ଧ । ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇ ଫେରିବା ବାଟରେ ବୃଦ୍ଧ ଜଣକ ଅଚେତ ହୋଇପଡ଼ିଥିବା ସୂଚନା । ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ଅନ୍ତର୍ଗତ କାଦୋଭଟା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ୧୦ଟା ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି । କିଛି କାମ ଥିଲେ ଲୋକ ଘରୁ ବାହାରୁଛନ୍ତି । ତେବେ ବେଳପଡ଼ା ବ୍ଲକ ଅନ୍ତର୍ଗତ କାଦୋଭଟା ଗ୍ରାମର ଅସହାୟ ଗରିବ ବୃଦ୍ଧ ଦମ୍ପତ୍ତି ରାଜାରାମ ହାତୀ ଓ ଉଷା ହାତୀ ନିଜ ଭତ୍ତା ଟଙ୍କା ପାଇଁ ବେଲପଡ଼ା ସ୍ଥିତ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ । ଟାଣ ଖରାରେ ଗ୍ରାମରୁ ଚାରି କିମି ବାଟ ଚାଲିଚାଲି ସେମାନେ ବ୍ୟାଙ୍କକୁ ଆସିଥିଲେ। ତେବେ ରାଜାରାମ ହାତୀଙ୍କ ଦୁଇ ମାସର ବାର୍ଦ୍ଧକ୍ୟ ଭତ୍ତା ଏଯାଏଁ ତାଙ୍କ ବ୍ୟାଙ୍କ ଖାତାରେ ପଡ଼ିନାହିଁ । କେବଳ ସ୍ତ୍ରୀ ଉଷା ହାତୀଙ୍କ ଖାତାରେ ଟଙ୍କା ଆସିଥିବା ବେଳେ ତାକୁ ଉଠାଇ ପୁଣି ଖରାରେ ଭୋକ ଉପାସରେ ଘରକୁ ଫେରୁଥିଲେ । ହେଲେ ବାଟରେ ବୃଦ୍ଧ ରାଜାରାମ ଖରା ସହ୍ୟ କରିନପାରି ହଠାତ ଅଚେତ୍ ହୋଇ ପଡ଼ି ଯାଇଥିଲେ । ସ୍ତ୍ରୀ ଉଷା ତାଙ୍କୁ ଜଗି ରହି ବାଟରେ ଯାଇଥିବା ଲୋକଙ୍କୁ ସାହାଯ୍ୟ ପାଇଁ ନେହୁରା ହୋଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ଆମ୍ବୁଲାନ୍ସ ଯୋଗେ ବେଲପଡ଼ା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।