ବଲାଙ୍ଗୀର:ପାଟଣାଗଡ଼ରେ ଥମିବାର ନା ନେଉନି ମୂର୍ତ୍ତି ବିବାଦ । ଗୁରୁବାର ଦଶମ ଦିନରେ ପହଞ୍ଚିଥିଲା ବ୍ରାହ୍ମଣ ସମାଜର ଆନ୍ଦୋଳନ। ଧାରଣା ସ୍ଥଳରେ ହୋମ ଯଜ୍ଞ କରି ଅଭିନବ ପ୍ରତିବାଦ କରିଥିଲେ ବ୍ରାହ୍ମଣ ସମାଜ । ଭଗବାନ୍ ପର୍ଶୁରାମଙ୍କୁ ଅପମାନ ଅର୍ଥାତ୍ ଜଗନ୍ନାଥଙ୍କୁ ଅସମ୍ମାନ ବୋଲି କହିବା ସହ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଛକରେ ଥିବା ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ଅପସାରଣ କରି ସେହି ସ୍ଥାନକେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି । ଯାହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପାଟଣାଗଡ଼ ବାସୀ । ଏହାକୁ ନେଇ ପାଟଣାଗଡ଼ ବନ୍ଦ ଡାକରା ସହ ପରବର୍ତ୍ତୀ ସମୟରେ ବେଲପଡ଼ା ବ୍ଲକ ଓ ଖପ୍ରାଖୋଲ ବ୍ଲକ ବନ୍ଦ ଡାକରା ଦେଇ ଆନ୍ଦୋଳନ କରିଥିଲେ । ପାଟଣାଗଡ଼ ବ୍ଲକ ଛକରେ ଦୀର୍ଘ ଦଶ ଦିନ ହେବ ବ୍ରାହ୍ମଣ ସମାଜ ଧାରଣା ଦେଇଛି । ଗୁରୁବାର ଧାରଣାସ୍ଥଳରେ ହୋମ ଯଜ୍ଞ କରି ଅଭିନବ ପ୍ରତିବାଦ କରାଯାଇଥିଲା ।
ଓଡିଶା ବ୍ରାହ୍ମଣ ସମାଜର ଅଧ୍ୟକ୍ଷ ରତିକାନ୍ତ ଦାସ ସାମିଲ ହୋଇ ମନ୍ତ୍ରପାଠ କରିଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ହଟାଇ ଭଗବାନ ପର୍ଶୁରାମଙ୍କ ଫଟୋ ମୂର୍ତ୍ତି ପୁନଃସ୍ଥାପନ କରିବା ପାଇଁ ଦାବି କରିବା ସହ ପୂଜାର୍ଚ୍ଚନା କରାଯାଇଥିଲା । ଅନ୍ୟପଟେ ଏହା ସ୍ଥାନୀୟ ବିଧାୟକ ସରୋଜ ମେହେରଙ୍କ ପ୍ରରୋଚନାରେ ଏପରି ହୋଇଥିବାର ଅଭିଯୋଗ ହୋଇଛି । ସରୋଜ ମେହେରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଓଡିଶା ବ୍ରାହ୍ମଣ ସମାଜ । ପାଟଣାଗଡ଼ ନୁହେଁ ଏଣିକି ରାଜଧାନୀରେ ଦେଖା ହେବ ବୋଲି ବିଧାୟକଙ୍କୁ ଚେତାବନୀ ଦେଇଥିଲା ଧାରଣା ରତ ବ୍ରାହ୍ମଣ ସମାଜ ।