ଆଲବମ ଅଭିନେତ୍ରୀ ରୁଚିସ୍ମିତାଙ୍କ ସନ୍ଦେହଜନକ ମୃତ୍ୟୁ ବଲାଙ୍ଗୀର:ଭୁବନେଶ୍ବରର ଜଣାଶୁଣା ଡିଜେ ଆଜେକ୍ସ ଅକ୍ଷୟ କୁମାରଙ୍କ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଏକ ଅଭିନେତ୍ରୀ ଜୀବନ ହାରିଥିବା ଖବର ସାମ୍ନାକୁ ଆସିଛି । ବଲାଙ୍ଗୀରର ଲୋକପ୍ରିୟ ଗାୟିକା ତଥା ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ତେବେ ଅବସାଦଗ୍ରସ୍ତ ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ରୁଚିସ୍ମିତା ଗୁରୁଙ୍କ ବାପା କହିଛନ୍ତି ।
ସୂଚନା ଅନୁସାରେ, ରୁଚିସ୍ମିତା ଗୁରୁ ବଲାଙ୍ଗୀର ସୁଡଦପଡ଼ାସ୍ଥିତ ତାଙ୍କ ମାମୁଁ ଘରେ ରହୁଥିଲେ । ଗତକାଲି(ରବିବାର) ରାତିରେ ପ୍ରାୟ ରାତି ୮ଟା ସମୟରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରିବାର ଲୋକେ । ଖବର ପାଇ ଘଟଣାସ୍ଥଳରେ ବଲାଙ୍ଗୀର ଟାଉନଥାନା ପୋଲିସ ପହଞ୍ଚିଥିଲା ଏବଂ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ପରିବାର ଲୋକ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଏହାପରେ ରୁଚିସ୍ମିତାଙ୍କ ମୃତଦେହ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ରୁଚିସ୍ମିତାଙ୍କ ବାପା ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଲୋକପ୍ରିୟ DJ Azexଙ୍କ ସନ୍ଦେହଜନକ ମୃତ୍ୟୁ, ଭଡା ଘରୁ ମିଳିଲା ଝୁଲନ୍ତା ମୃତଦେହ
ଅଳ୍ପ ବୟସରୁ କଣ୍ଠଶିଳ୍ପୀ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ରୁଚିସ୍ମିତା । ୨୦୦୬ରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଓଡ଼ିଶାର ନାମୀଦାମୀ କଳାକାରଙ୍କ ସହ ଶହେରୁ ଅଧିକ ଗୀତ ଗାଇଛନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ଲକ୍ଷାଧିକ ଫ୍ୟାନ ଫୋଲଅର୍ସ ଅଛନ୍ତି । ପରେ ଗାଇବା ସହ ଅଭିନୟରେ ମଧ୍ୟ ରୁଚି ଦେଖାଇଥିଲେ । ରୁଚିସ୍ମିତାଙ୍କ ବାପା ପ୍ରଦୀପ ଗୁରୁଙ୍କ କହିବା ଅନୁଯାୟୀ, "ଲାଇଭ ଇଭେଣ୍ଟକୁ ସେ ବେଶୀ ଭଲ ପାଉଥିଲେ । କିନ୍ତୁ କୋରୋନା ଯୋଗୁଁ ରୁଚିସ୍ମିତାଙ୍କୁ କାମ ମିଳିନଥିଲା । ଏଥିରେ ସେ ମାନସିକ ଅବସାଦରେ ଥିବା ବେଳେ ପରେ ପୁଣି ଅଭିନୟ କରିବା ପାଇଁ ଚେଷ୍ଟା କରିଥିଲେ । ଅନେକ ଉଦ୍ୟମ ପରେ ଗୋଟିଏ ଦୁଇଟି ଆଲବମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ତେବେ କାମ ନମିଳିବା ଯୋଗୁଁ ମାନସିକ ଅବସାଦରେ ଥାଇ ଏପରି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ।"
୨୦୧୪ରେ ପୁରୀରେ ଶ୍ରୀକ୍ଷେତ୍ର ଟାଇଟଲ ଜିତିଥିଲେ ରୁଚିସ୍ମିତା । ତେଣୁ ଆଜି ତାଙ୍କୁ ଶ୍ରୀକ୍ଷେତ୍ର ନିଆଯିବ ବୋଲି ତାଙ୍କ ବାପା କହିଛନ୍ତି । ସେପଟେ ଅଳ୍ପ ବୟସରେ ଯୁବପିଢ଼ିଙ୍କ ହୃଦୟରେ ସ୍ଥାନ ପାଇଥିବା ରୁଚିସ୍ମିତାଙ୍କୁ ସମସ୍ତେ ଝୁରୁଛନ୍ତି । ତାଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ । ବର୍ଷକ ପୂର୍ବେ ରୁଚିସ୍ମିତା ରଙ୍ଗବତୀ ଏଗେନ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ରୁଚିସ୍ମିତା ସମ୍ବଲପୁରୀ ସଙ୍ଗୀତ ଦୁନିଆର ଆଗ ଧାଡିର କଳାକାର ଥିଲେ । ସେ ଏକାଧାରାରେ ଜଣେ କଣ୍ଠଶିଳ୍ପୀ ଓ ନୃତ୍ୟାଙ୍ଗନା ଭାବେ ପରିଚୟ ସୃଷ୍ଟି କରିପାରିଥିଲେ । ତେବେ ଜଣେ ଉଦୟୀମାନ କଳାକାର କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ, ସେନେଇ ଅନେକ ଚର୍ଚ୍ଚା ଲାଗି ରହିଛି ।
ପ୍ରକାଶ ଥାଉକି, ରୁଚିସ୍ମିତା ଗୁରୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସହ ହାଏ ତୋର ବିନ୍ଦିଆ, ଉମାକାନ୍ତ ବାରିକଙ୍କ ସହ ସମ୍ବଲପୁରୀ ଗୁରିଆ, କ୍ୟାରିଅର, ପ୍ରସନ୍ନଙ୍କ ସହ ଗୋଲାପ ଫୁଲ, ନବୀନ ନନ୍ଦଙ୍କ ସହ ଭଲ ଲାଗସି ତତେ, ଦେଶୀପିଲା ଭଳି ଶହେରୁ ଅଧିକ ଗୀତ ଗାଇଛନ୍ତି । ଲାଇଭ୍ ଷ୍ଟେଜ ପ୍ରୋଗ୍ରାମରେ ସେ ଦର୍ଶକଙ୍କ ମନ ଜିଣୁଥିଲେ । ତାଙ୍କ ଗୀତର ଜଲଓ୍ବାରେ ଦିଓ୍ବାନା ଥିଲେ ଯୁବପିଢି ।
ଇଟିଭି ଭାରତ, ବଲାଙ୍ଗୀର