ବଲାଙ୍ଗୀର:ଆଉ ଦିନକ ପରେ ପାଳନ ହେବ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ ଚାଷ କାର୍ଯ୍ୟ ଭଲ ହୋଇଥିବା ଯୋଗୁଁ ଚାଷୀଙ୍କ ମନରେ ଉଲ୍ଲାସ ଭରି ରହିଛି । ଯେଉଁଥିପାଇଁ ନୂଆଖାଇ ଧୁମଧାମରେ ପାଳନ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ଗଣପର୍ବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ ଚାଷ କାର୍ଯ୍ୟ ଭଲ ହୋଇଛି । ଯାହାକୁ ନେଇ ଏଠିକାର ଚାଷୀ ବେଶ ଖୁସି ରହିଥିବା ଦେଖିବାକୁ ମିଳିଛି । ଏଠିକାର ମୁଖ୍ୟ ଜୀବିକା ଚାଷ ଅଟେ । ଆଦି ପରମ୍ପରା ଅନୁସାରେ ଏହି ନୂଆଖାଇ ପର୍ବ ପାଳନ ହୋଇ ଆସୁଛି । ଯେଉଁଥିରେ ଚାଷୀ ବର୍ଷର ନିଜର ଅମଳ ପ୍ରଥମ ଅନ୍ନକୁ ଭକ୍ତି ସହକାରେ ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି ବର୍ଷ ତମାମ ସୁଖ ସମୃଦ୍ଧିର କାମନା କରିଥାଏ । ସେହି ଅମଳ ହୋଇଥିବା ଅନ୍ନକୁ ସମସ୍ତେ ବର୍ଷ ତମାମ ଆହରଣ କରିଥାନ୍ତି ।
ତେବେ ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇ ସାରିଛି । ବଲାଙ୍ଗୀରରେ ଆସନ୍ତା 20 ଓ 21 ତାରିଖ ଦୁଇ ଦିନ ଧରି ନୂଆଖାଇ ପର୍ବ ପାଳନ ହେବ । ଗାଁ ଗାଁରେ ଲଗ୍ନ ତାରିଖ ଡେଙ୍ଗୁରା ବଜାଇ ଘୋଷଣା କରାଯାଇଛି । ଯାହା ପରେ ଏଠି ଚାଷୀ ସହିତ ସମସ୍ତ ବର୍ଗର ଲୋକେ ଏହି ନୂତନତ୍ୱର ପର୍ବ ପାଳନ ପାଇଁ ସଜବାଜ ଆରମ୍ଭ କରିଦେଇଛନ୍ତି । ଦୂରରେ ଥିବା ବନ୍ଧୁ ବାନ୍ଧବ ଘରେ ପହଞ୍ଚି ସାରିଲେଣି । ସେହିପରି ନୂଆଖାଇ ପାଇଁ ଘର ସଜାଇବା ସହ ନୂଆ ପୋଷାକ ନୂଆ ବାସନ କିଣିବା ପାଇଁ ବଜାରରେ ଭିଡ଼ ଦେଖିବାକୁ ମିଳୁଛି । ଜଙ୍ଗଲରୁ ପତ୍ର ସଂଗ୍ରହ ସହ ନୂଆ ମାଟିପାତ୍ର ମଧ୍ୟ କ୍ରୟ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।