ବଲାଙ୍ଗୀର :ଜିଲ୍ଲାରେଅପରାଧୀ ଦମନ ଜାରି ରଖିଛି ପୋଲିସ ପ୍ରଶାସନ । ଅପରାଧୀଙ୍କ ପ୍ରତି ପୋଲିସ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଜଣେ ପେଶାଦାର ଅପରାଧୀର ବେଆଇନ ଭାବେ ଗଢି ଉଠିଥିବା ବିଶାଳ ରିସୋର୍ଟକୁ ଧୂଳିସାତ କରିଛି ପୋଲିସ । ବଲାଙ୍ଗୀରର ଦୁର୍ଦ୍ଦାନ୍ତ ଅପରାଧୀ ଚିତ୍ତ ମହାନ୍ତି ଏକ ହତ୍ୟା ମାମଲାରେ ଜେଲ୍ରେ ଥିବାବେଳେ ତାର ବେଆଇନ ରିସୋର୍ଟକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି ।
ଅପରାଧୀ ଚିତ୍ତ ମହାନ୍ତି 2008 ମସିହାରୁ ଇଡକୋ ଠାରୁ ସିମେଣ୍ଟ ସାମଗ୍ରୀ ତିଆରି ନାଁରେ 17 ଡିସିମିଲ ଜମି ଲିଜ୍ ନେଇଥିଲା । ଲକ୍ଷ୍ମୀ ସିମେଣ୍ଟ ନାଁରେ ସିମେଣ୍ଟ ସାମଗ୍ରୀ ତିଆରି ପାଇଁ ଇଡକୋ ସହିତ ଲିଜ୍ ଚୁକ୍ତି ନାମା କରିଥିଲା । ହେଲେ ସବୁ ନିୟମକୁ ଉଲ୍ଲଂଘନ କରି ସେ ସେହି ଜମି ସହିତ ଇଡକୋର ଅନ୍ୟ ଜମି ଜବର ଦଖଲ କରିଥିଲା । ଧାର୍ଯ୍ୟ ଜମିଠାରୁ ସେ ଦେଢ଼ ଅଧିକ ଏକର ଜମି ଜବରଦଖଲ କରିଥିଲା । ନିୟମ ବିରୋଧରେ ଯାଇ ସେଠାରେ ଏକ ଆଲିଶାନ ରିସୋର୍ଟ ନିର୍ମାଣ କରିଥିଲା ଏବଂ ଏଠି ସବୁ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବାର ଅଭିଯୋଗ ହୋଇଥିଲା । ସେହିପରି ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଚାଲିଥିବାର ପୋଲିସ ଅଭିଯୋଗ ପାଇଥିଲା । ତେବେ ଇଡକୋ ବିଭାଗ ଗତ ମାସରେ ଏହାକୁ ପ୍ରଶାସନର ସହାୟତାରେ ସିଲ୍ କରିଥିଲା । ଏହାପରେ ଆଜି(ବୁଧବାର) ଇଡକୋ ନିବେଦନ ପରେ ପୋଲିସ ଓ ଜିଲ୍ଲା ପ୍ରସାସନ ମିଳିତ ଭାବରେ ଏହାକୁ ଉଚ୍ଛେଦ କରିଛନ୍ତି । ପୂର୍ବରୁ ତାକୁ ବିଭିନ୍ନ ପର୍ଯ୍ୟାୟରେ ନୋଟିସ ଦିଆଯିବା ପରେ ଆଜି ଉଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ ବଲାଙ୍ଗୀର ଏସପି, ଉପଜିଲ୍ଲାପାଳ ଓ ଇଡକୋ ଅଧିକାରୀଙ୍କ ସହ ବ୍ୟାପକ ପୋଲିସ ଉପସ୍ଥିତ ଥିଲେ ।