ଓଡିଶା

odisha

ETV Bharat / state

କାମ ଦେଉନି ସଚେତନତା; ବଲାଙ୍ଗୀରରେ ବଢୁଛି ସଡକ ଦୁର୍ଘଟଣା, ଗଡୁଛି ମୁଣ୍ଡ

No break on accidents: ସରିଛି ସଡକ ସୁରକ୍ଷା ସପ୍ତାହ, କାମ ଦେଉନି ସଚେତନତାମୂଳକ କାର୍ଯ୍ୟକ୍ରମ । ଗତ 3 ବର୍ଷ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ୮୭୭ଟି ଦୁର୍ଘଟଣା ହୋଇଥିବା ବେଳେ ୪୩୯ ଜଣ ପ୍ରାଣ ହରାଇବା ସହ ୮୫୪ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ସଚେତନତା ସତ୍ତ୍ବେ ଲାଗୁନି ସଡକ ଦୁର୍ଘଟଣାରେ ରୋକ୍
ସଚେତନତା ସତ୍ତ୍ବେ ଲାଗୁନି ସଡକ ଦୁର୍ଘଟଣାରେ ରୋକ୍

By ETV Bharat Odisha Team

Published : Jan 10, 2024, 7:51 AM IST

ସଚେତନତା ସତ୍ତ୍ବେ ଲାଗୁନି ସଡକ ଦୁର୍ଘଟଣାରେ ରୋକ୍

ବଲାଙ୍ଗୀର: ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାନୁଆରୀ ପ୍ରଥମ ସପ୍ତାହକୁ ସଡକ ସୁରକ୍ଷା ସପ୍ତାହ ଭାବେ ପାଳନ କରାଯାଉଛି । ଏ ବର୍ଷର ସଡକ ସୁରକ୍ଷା ସପ୍ତାହର ଥିମ ରହିଛି 'ସଡକ ସୁରକ୍ଷା, ପରିବାର ରକ୍ଷା' । ଏହି କ୍ରମରେ ବଲାଙ୍ଗୀରରେ ପାଳିତ ହୋଇଛି ସଡକ ସୁରକ୍ଷା ସପ୍ତାହ । ବଲାଙ୍ଗୀର ଦେଇ ବଲାଙ୍ଗୀର-ଖୋର୍ଦ୍ଧା 57 ନମ୍ବର ଜାତୀୟ ରାଜପଥ ଓ ବରଗଡ ବୋରିଗୁମ୍ମା 27 ନମ୍ବର ଜାତୀୟ ରାଜପଥ ଯାଇଛି । କିନ୍ତୁ ଜିଲ୍ଲାରେ ସଡକ ଦୁର୍ଘଟଣାରେ ଲାଗୁନି ବ୍ରେକ । ଗାଁ ଓ ସହର ଗଳିରୁ ରାଜରାସ୍ତା ଯାଏଁ ସବୁଠି ମାସକୁ 25ରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି ।

ଟ୍ରାଫିକ ନିୟମ ଉଲ୍ଲଙ୍ଘନ, ବେପରୁଆ ଗାଡି ଚାଳନା, ନିଶାଦ୍ରବ୍ୟ ନେଇ ଗାଡି ଚଲାଇବା, ସିଟବେଲ୍ଟ ଓ ହେଲମେଟ ବ୍ୟବହାର ନ କରିବା ଆଦି କାରଣରୁ ସଡକ ଦୁର୍ଘଟଣା ସହ ମୃତ୍ୟୁ ହାର ମଧ୍ୟ ବଢିଚାଲିଛି । ଫଳରେ ଅନେକ ଧନଜୀବନ ହାନି ଘଟୁଛି । ବଲାଙ୍ଗୀର ଆରଟିଓଙ୍କ କାର୍ଯ୍ୟାଳୟ ଠାରୁ ମିଳିଥିବା ସୂଚନା ଅନୁସାରେ, ଗତ 2017ରେ ମୋଟ 339ଟି ସଡକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ 136 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 208 ଜଣ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ସଡକ ସୁରକ୍ଷା ସପ୍ତାହ ପାଳନ, ରାହାଗିରି ଓ ପଥପ୍ରାନ୍ତ ନାଟକ ଦ୍ଵାରା ସଚେତନତା ଅଭିଯାନ

ସେହିପରି 2018ରେ ସଡ଼କ ଦୁର୍ଘଟଣା ସଂଖ୍ୟା 340 ଥିଲା ଏବଂ ଏଥିରେ 150 ଜଣ ପ୍ରାଣ ହରାଇଥିଲେ ଓ 361 ଜଣ ଗୁରୁତର ଆହତ ହୋଇଥିଲେ । ପୁଣି 2019ରେ ସଡକ ଦୁର୍ଘଟଣା 334 ଥିବାବେଳେ ମୃତ୍ୟୁ ସଂଖ୍ୟା 146 ଥିଲା । ଆହତ ସଂଖ୍ୟା 378 ଥିଲା । 2020ରେ ଦୁର୍ଘଟଣା ସଂଖ୍ୟା 293 ଥିବାବେଳେ 144 ଜଣଙ୍କ ମୃତ୍ୟୁ ଓ 271 ଜଣ ଆହତ ହୋଇଥିଲେ । 2021ରେ ଦୁର୍ଘଟଣା ସଂଖ୍ୟା 300 ଥିବାବେଳେ ମୃତ୍ୟୁ ସଂଖ୍ୟା 142 ଓ ଆହତ ସଂଖ୍ୟା 304 ଥିଲା । ସମାନ ଭାବରେ 2022 ବେଳେ ଏହି ସଂଖ୍ୟା 314 ଥିବାବେଳେ 165 ଜଣଙ୍କ ମୃତ୍ୟୁ ଓ 288 ଲୋକ ଆହତ ହୋଇଥିଲେ ଏବଂ 2023 ଅକ୍ଟୋବର ସୁଦ୍ଧା ଏହି ଦୁର୍ଘଟଣା ସଂଖ୍ୟା 263, ମୃତ୍ୟୁ ସଂଖ୍ୟା 132 ଓ ଆହତ ସଂଖ୍ୟା 262 ଅଛି ।

ସେପଟେ ସଡକ ସୁରକ୍ଷା ସପ୍ତାହ ପାଳନ ସରିଥିବା ବେଳେ ଏଥର ମଧ୍ୟ ଲୋକଙ୍କୁ ବ୍ୟାପକ ସଚେତନ କରାଯାଇଛି । ଅମାନିଆ ଡ୍ରାଇଭରମାନଙ୍କୁ ଆବଶ୍ୟକ ଦଣ୍ଡ ବିଧାନ କରାଯାଉଛି । ତେବେ ଡ୍ରାଇଭର ସଂଗଠନମାନେ ମଧ୍ୟ ଏଥିପାଇଁ ରାସ୍ତା ଓ ପରିବହନ ବିଭାଗ ସହ ମିଶି ବ୍ୟାପକ ସଚେତନ କାର୍ଯ୍ୟକ୍ରମ କରିଛନ୍ତି । ସଡକ ସୁରକ୍ଷା ପାଳନ ହେଉ କିମ୍ବା ପୋଲିସ ଓ ପରିବହନ ବିଭାଗର କଡା କାର୍ଯ୍ୟାନୁଷ୍ଠାନ ହେଉ ତଥାପି କମୁନି ସଡ଼କ ଦୁର୍ଘଟଣା । ପ୍ରଶାସନର ବିଭିନ୍ନ ସଚେତନ ଧର୍ମୀ ପ୍ରଚେଷ୍ଟା ସହିତ ପ୍ରତ୍ୟେକ ନାଗରିକ ଯଦି ସଡକ ସୁରକ୍ଷାର ନିୟମଗୁଡିକ ମାନି ଚଳିବେ ତେବେ ଏପରି ଦୁର୍ଘଟଣାକୁ ଏଡାଇ ଯାଇପାରିବ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details