ବଲାଙ୍ଗୀର:ବଲାଙ୍ଗୀରର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ଉଦଘାଟିତ ହେଲା ଆଧୁନିକ ଥିଏଟର ପାର୍କ । ଲେଜର ଲାଇଟ ଶୋ' ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରମ ଦୃଶ୍ୟ ଉପଭୋଗ କରିବେ ଲୋକେ । ବଲାଙ୍ଗୀର ଟିଟିଲାଗଡ଼ ରାସ୍ତା ବିଜାଖମନ ଠାରେ ନିର୍ମିତ ଏହି ଆଧୁନିକ ଥିଏଟର ପାର୍କ ବୁଧବାର ଉଦଘାଟିତ ହୋଇଛି ।
୫ କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ପୌରପାଳିକା ପକ୍ଷରୁ ଏହି ପାର୍କର ନିର୍ମାଣ ହୋଇଛି । ଯେଉଁଠି ଏକ ଖୋଲା ମଞ୍ଚ ସହ ଥିଏଟର ଥିବାବେଳେ ପାଣି ଫାଉଣ୍ଟେନ ଓ ଲାଇଟ ସାଜସଜ୍ଜାରେ ଏହା ଝଲସୁଛି । ଏହାର ଉଦଘାଟନ କାର୍ଯ୍ୟକ୍ରମରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ଶିଶୁଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଦର୍ଶକ ।
ଏନେଇ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, "ବଲାଙ୍ଗୀରରେ ଏହା ପ୍ରଥମ ଏବଂ ବଡ଼ ଆଧୁନିକ ପାର୍କ ଅଟେ । ଯାହାକୁ ପୌରପାଳିକା ପକ୍ଷରୁ ନିର୍ମାଣ କରାଯାଇଛି । ଏହାଦ୍ୱାରା ଲୋକ ଏଠି ଖୋଲା ଥିଏଟରରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ ତା' ସାଙ୍ଗକୁ ସୁନ୍ଦର ଦୃଶ୍ୟ ଓ ବାତାବରଣରେ ନିଜକୁ ଲୋକେ ହଜାଇଦେବେ । ସେହିପରି ଆଗକୁ ବଲାଙ୍ଗୀରର ସବୁ ୱାର୍ଡରେ ମଧ୍ୟ ଗୋଟିଏ ଲେଖାଏଁ ପାର୍କ ନିର୍ମାଣ କରିବାର ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା ଲୋକ ଆମୋଦ ପ୍ରମୋଦ କରିବେ ।"