ବିଜେଡି-ବିଜେପି ଉପରେ ବର୍ଷିଲେ ନରସିଂହ
ବଲାଙ୍ଗୀର:ଦୁଇ ଦିନ ପରେ ନୂଆ ସଂସଦ ଭବନର ଉଦଘାଟନ ହେବ । ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦଘାଟନ କରିବାକୁ ଥିବାରୁ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧି ଦଳ । ଏହି ବିବାଦ ମଧ୍ୟରେ ସଂସଦ ଭବନ ଉଦଘାଟନ ଉତ୍ସବରେ ବିଜେଡି ସାମିଲ ହେବାକୁ ଘୋଷଣା କରିବା ପରେ ଏବେ ଓଡ଼ିଶାରେ ମଧ୍ୟ ରାଜନୀତି ଜୋର ଧରିଛି । ଏହାକୁ ନେଇ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ବିଜେପି ରାଷ୍ଟ୍ରପତି ମୁର୍ମୁଙ୍କୁ ଅସମ୍ମାନ କରୁଛି । ନବୀନ ପଟ୍ଟନାୟକ ଏହାକୁ ସମର୍ଥନ କରୁଛନ୍ତି ବୋଲି କହି ବର୍ଷିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।
ବିଜେପି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ସଂସଦ ଭବନକୁ ନେଇ କଂଗ୍ରେସ ଦଳ ରାଜନୀତି କରୁଥିବାର କହିଛି । କଂଗ୍ରେସ ନେତା ନରସିଂହ ମିଶ୍ର କାହିଁକି ଏଭଳି ରାଜନୀତି କରୁଛନ୍ତି । ସେ ଜଣେ ଆଇନଜୀବୀ ହୋଇଥିବା ବେଳେ ଏଭଳି ରାଜନୀତି କରିବା ଠିକ ନୁହେଁ । ରାଷ୍ଟ୍ରପତି ନିର୍ବାଚନରେ ଓଡିଶା ମାଟିର ସନ୍ତାନକୁ ଏମାନେ ସମର୍ଥନ ଦେଇନଥିଲେ । ଏବେ ରାଷ୍ଟ୍ରପତିଙ୍କୁ ଅପମାନ କଥା କହିବା ହାସ୍ୟାସ୍ପଦ ବୋଲି ବିଜେପି କହିଛି ।
ସେପଟେ ଏନେଇ ନରସିଂହ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ଉଭୟ ବିଜେପି ଓ ବିଜେଡି ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି । ମୋଦି ଯାହା କୁହନ୍ତି ସେଥିରେ ନବୀନ ପଟ୍ଟନାୟକ ହଁ ଭରନ୍ତି । ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ସଂସଦ ବିଲ୍ଡିଂର ଉଦଘାଟନ କରନ୍ତୁ ଦାବିରେ ଅସୁବିଧା କେଉଁଠି ଅଛି । ଯେଉଁମାନେ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରୁଛନ୍ତି ସେମାନେ ଦୁଃଖିତ ହେବା କଥା । ବିଜେପି ରାଷ୍ଟ୍ରପତିଙ୍କୁ ଅସମ୍ମାନ କରୁଛି ଓ ବିଜେଡି ତାକୁ ଅନୁସରଣ କରୁଛି । ଯଦିଓ କିଏ ଉଦଘାଟନ କରିବ ତାର ନିୟମ କୌଣସି ଠାରେ ଲିଖିତ ନାହିଁ । କିନ୍ତୁ ସଂସଦ ଭବନକୁ ଦେଶର ରାଷ୍ଟ୍ରପତି ଉଦଘାଟନ କରିବା ଉଚିତ୍ । ଏହା ନହେବା ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ ବୋଲି କଂଗ୍ରେସ ନେତା କହିଛନ୍ତି ।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ସମେତ ଆପ୍, ଟିଏମସି, ଉଦ୍ଧବ ଠାକରେଙ୍କ ଶିବସେନା, ଜେଡିୟୁ, ସମାଜବାଦୀ ପାର୍ଟି, ଡିଏମକେ, ଆରଜେଡି, ରାଷ୍ଟ୍ରୀୟ ଲୋକ ଦଳ, ଏନସି ପ୍ରମୁଖ ରାଜନୈତିକ ଦଳ ମିଳିତ ବିବୃତ୍ତି ଜାରି କରି ସଂସଦ ଭବନର ଉଦଘାଟନୀ ସମାରୋହ ବର୍ଜନ କରିବାକୁ ଘୋଷଣା କରିଛନ୍ତି । ଯେତେବେଳେ ସଂସଦରୁ ଗଣତନ୍ତ୍ରର ଆତ୍ମା ଶୋଷି ନିଆଯାଇଛି ସେତେବେଳେ ନୂଆ ବିଲ୍ଡିଂର କୌଣସି ମୂଲ୍ୟ ନାହିଁ ବୋଲି ବିରୋଧି କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର