ବଲାଙ୍ଗୀର:ପ୍ରାକୃତିକ ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବଲାଙ୍ଗୀର ଜିଲ୍ଲା । ଏଠାରେ ଅନେକ ଐତିହାସିକ ପର୍ଯ୍ୟଟନ ସ୍ଥଳୀମାନ ରହିଛି । ସେଥିମଧ୍ୟରୁ ଟିଟିଲାଗଡ଼ର ପ୍ରସିଦ୍ଧ କୁମୁଡା ପାହାଡ଼ ଅନ୍ୟତମ । ଏଠାରେ ରହିଥିବା ରହସ୍ୟମୟ ଗୁମ୍ଫା ସାରା ରାଜ୍ୟରେ ବେଶ ପ୍ରସିଦ୍ଧି ଲାଭ କରିଛି । ଏହି ଗୁମ୍ଫା ମଧ୍ୟରେ କେଉଁ ଆବାହନ କାଳରୁ ପ୍ରଭୁ ଧବେଳଶ୍ବର ପୂଜା ପାଇ ଆସୁଛନ୍ତି । ପ୍ରଭୁଙ୍କ ମହିମା ଜାଣି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ଏହି ଐତିହାସିକ ଶୈବ ପୀଠକୁ ନେଇ ଅନେକ କିମ୍ବତନ୍ତୀ ରହିଛି ।
ପ୍ରସିଦ୍ଧ କୁମୁଡା ପାହାଡ଼
ବଲାଙ୍ଗୀର ସଦର ମହକୁମା ଠାରୁ 74 କିମି ଦୂରରେ ଥିବା ଟିଟିଲାଗଡ଼ର ଅବସ୍ଥିତ ପ୍ରସିଦ୍ଧ କୁମୁଡା ପାହାଡ଼ । ଏଠାକୁ ଯିବାକୁ ହେଲେ ଟ୍ରେନ ଓ ସଡ଼କର ସୁବିଧା ରହିଛି । କୁମୁଡା ପାହାଡ଼ ଉପରେ ରହିଛି ପ୍ରଭୁ ଧବଳେଶ୍ବରଙ୍କ ମନ୍ଦିର । ଏହି ମନ୍ଦିରକୁ ଯିବାକୁ ହେଲେ ପାହାଡ଼ ଚଢ଼ି ଯିବାକୁ ପଡ଼ିଥାଏ । ଏହି ପାହାଡ଼ର ଇତିହାସ ଦୁଇ ହଜାର ବର୍ଷ ପୁରୁଣା ବୋଲି କୁହାଯାଏ । ଏଠି ଥିବା ବିରାଟ ପ୍ରାକୃତିକ ଗୁମ୍ଫାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ଯାହାର ବର୍ଣ୍ଣନା ଜୈନ ଶାସ୍ତ୍ରରେ ମଧ୍ୟ ଥିବାର କୁହାଯାଉଛି । ଗୁମ୍ଫାର 35 କିମି ଦୂରରେ ଥିବା ରାଣୀପୁର ଝରିଆଲ ଚାଉଷଠି ଯୋଗିନୀ ପୀଠ ପର୍ଯ୍ୟନ୍ତ ଏହା ଲମ୍ବିଛି । ଏହାର ଅର୍ଥ ଦୁଇ ହଜାର ବର୍ଷ ପୂର୍ବେ ଏଠି ଏକ ଗୁପ୍ତ ରାସ୍ତା ଥିବାର ଲୋକେ କୁହନ୍ତି । ଯାହା ଏବେ ଏକ ବଡ ପଥର ଖଣ୍ଡ ଦ୍ୱାରା ବନ୍ଦ ହୋଇ ଯାଇଛି । ଗୁମ୍ଫାର ଗର୍ଭରେ ବିରାଟ ବୌଦ୍ଧଙ୍କ ଶୟନ ମୂର୍ତ୍ତି ଥିବା ଲୋକେ ସୂଚନା ଦେଇଛନ୍ତି । ସେହି ସମୟରୁ ହିଁ ଏଠି ଆବିର୍ଭାବ ହୋଇଥିବା ପ୍ରଭୁ ଶିବ ଲିଙ୍ଗଙ୍କୁ ପୂଜାର୍ଚ୍ଚନା କରାଯାଉଛି । ପ୍ରତିଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି । ମହାଦେବଙ୍କ ଠାରେ ଯାହା ମନାସିଲେ ପୂରଣ ହୋଇଥାଏ ବୋଲି ଲୋକ ବିଶ୍ବାସ ରହିଛି ।
କୁମୁଡା ପାହାଡ଼ର ରହସ୍ୟ
ସାଧାରଣତଃ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତୁପ୍ତ ସହର ହୋଇଥିବାରୁ ଏହାକୁ ତତଲାଗଡ଼ ବୋଲି କୁହାଯାଏ । ପାହାଡ଼ ଉପର ଜାଗା, ଗରମ ତ ନିଶ୍ଚୟ ଅନୁଭବ ହେବ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ମନ୍ଦିର ବାହାରେ ତତଲା ତାୱାରେ ଭାଜି ହେବା ଭଳି ମନେ ହେଉଥିବା ବେଳେ ମନ୍ଦିର ଭିତରେ ତୁଷାରପାତର ଅନୁଭବ ହୁଏ । ବାହାର ତାପମାତ୍ରା ୫୦ ଡିଗ୍ରୀ ରହିଥିବା ସମୟରେ ଭିତରେ ୨୫ ଡିଗ୍ରୀରୁ କମ ତାପମାତ୍ରା ରହିଥାଏ । ଖାଲି ଖରା ଦିନେ ନୁହେଁ ଶୀତ ଦିନରେ ବାହାରେ ପ୍ରବଳ ଥଣ୍ଡା ଲାଗୁଥିଲେ ମନ୍ଦିର ପରିବେଶଟି ସମ୍ପୂର୍ଣ୍ଣ ଉଷ୍ମ ଥାଏ । ତେଣୁ ଖରା ହେଉକି ବର୍ଷା, ବର୍ଷତମାମ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ । ଏହାର କାରଣ ଏବେବି ରହସ୍ୟ ମଧ୍ୟରେ ଥିବା ବେଳେ ଲୋକେ ଏହାକୁ ଇଶ୍ୱରଙ୍କ ଚମତ୍କାର ବୋଲି ବିଶ୍ବାସ କରନ୍ତି । ଏହାର ସତ୍ୟତା ଜାଣିବା ପାଇଁ ଅନେକ ଗବେଷକ ଏଠାକୁ ଆସି ଗବେଷଣା କରିଛନ୍ତି । ହେଲେ ଆଜିବି ଏହା ରହସ୍ୟ ଘେରରେ ରହିଛି ।
ଶ୍ରାବଣ ମାସରେ ହୁଏ ସ୍ବତନ୍ତ୍ର ନୀତିକାନ୍ତି