ସାଂସଦଙ୍କ ମିଛ ଧରାଇଲା ସିସିଟିଭି ବଲାଙ୍ଗୀର:ଧରାପଡିଲା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ମିଛ । ସାଂସଦ ଗାଡିରେ ଥିବାବେଳେ ଘଟିଥିଲା ଦୁର୍ଘଟଣା । ତାଙ୍କ କାର୍ ଆଦିବାସୀ ଯୁବକ ଟଙ୍କଧର ବିଶ୍ଵାଳଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସାଂସଦ ଆହତଙ୍କୁ ହସ୍ପିଟାଲ ନେବା ବଦଳରେ ସମ୍ବେଦନହୀନ ହୋଇ ସେଠାରୁ ଲୁଚି ପଳାଇ ଆସିଥିଲେ । ଯାହା ସେଠାରେ ଲାଗିଥିବା ସିସିଟିଭି ଫୁଟେଜରୁ ଖୁଲାସା ହୋଇଛି । ଦୁର୍ଘଟଣା ସମୟରେ ନିରଞ୍ଜନ ବିଶି ଗାଡିରେ ନଥିଲେ ବୋଲି କହୁଥିବାବେଳେ ସେ ଦୁର୍ଘଟଣା ସ୍ଥଳରୁ ପଳାଇ ଯାଉଥିବାର ସିସିଟିଭି ଫୁଟେଜ ତାଙ୍କ ମିଛ ଧରା ପକାଇଛି । ଏପରିକି ଦୁର୍ଘଟଣା ପରେ ତାଙ୍କୁ ବାଇକରେ ଘରେ ନେଇ ଛାଡିଥିବା ବ୍ୟକ୍ତି ମଧ୍ୟ ଏନେଇ ସୂଚନା ଦେଇଛନ୍ତି । ଯାହାଫଳରେ ହିଟ୍ ଆଣ୍ଡ ରନ ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହୋଇଛି ।
ଗତ ମେ' ୨୪ ତାରିଖରେ ବଲାଙ୍ଗୀର ପାଟଣାଗଡ ତମିଆ ଛକରେ ଏହି ଦୁର୍ଘଟଣା ଘଟିଥିଲା । ବିଜେଡିର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ପାଟଣାଗଡ ଇନ୍ଦପୁର ଗ୍ରାମର ଟଙ୍କଧର ବିଶ୍ବାଳ ଥିଲେ । ଏହି ଘଟଣାକୁ ନେଇ ସେତେବେଳେ ତୁମ୍ବିତୋଫାନ ହୋଇଥିବାବେଳେ ଦୁର୍ଘଟଣା ସମୟରେ ସାଂସଦ ଗାଡିରେ ନଥିଲେ ବୋଲି ଦାବି କରିଥିଲେ । ତାଙ୍କ ଘରେ ବିଜେଡି କର୍ମୀ ବୈଠକ ଥିଲା ଓ ସେ ସେଠାରେ ଉପସ୍ଥିତ ରହିଥିଲେ ବୋଲି କହିଥିଲେ । କିନ୍ତୁ ସାଂସଦ ମିଛ କହିଥିବାର ଏବେ ଜଣାପଡୁଛି ।
ଘଟଣା ଦିନ ତମିଆ ଗ୍ରାମର ମନୋଜ ବେହେରା ପାଟଣାଗଡ଼ ତମିଆ ସୁନାମୁଦୀ ଗ୍ରାମ ରାସ୍ତା ଦେଇ ଯାଉଥିଲେ । ତାଙ୍କର ଫୋନ୍ ଆସିବାରୁ ସେ ରାସ୍ତାକଡ଼ରେ ଅଟକିଥିଲେ । ତାଙ୍କର କିଛି ମିଟର ଦୂରରେ ଟଙ୍କଧର ବିଶ୍ୱାଳ ନିଜ ସ୍କୁଟିରେ ଛିଡା ହୋଇ କଥା ହେଉଥିଲେ । ଏହି ସମୟରେ ପଛରୁ ଦ୍ରୁତଗତିରେ ସାଂସଦଙ୍କ ଗାଡ଼ି ଆସି ଟଙ୍କଧରଙ୍କୁ ଧକ୍କା ଦେଇ ପାଖ ବିଲକୁ ଘୋଷାଡି ନେଇଥିଲା । ଗାଡିରୁ ନିଜେ ସାଂସଦ ତାଙ୍କ ପିଏସଓ ଓହ୍ଲାଇ ଥିଲେ । କାରରୁ ଓହ୍ଲାଇବା ସମୟରେ ସେ ଡ୍ରାଇଭର ପାଖରୁ ଡାଏରୀ ଓ ଅନ୍ୟାନ୍ୟ ସାମଗ୍ରୀ ସାଙ୍ଗରେ ନେଇଥିଲେ । ସେଠାରୁ ଲୁଚି ପଳାଇବାକୁ ନିରଞ୍ଜନ ବିଶି ମନୋଜଙ୍କୁ ବାଇକରେ ଲିଫ୍ଟ ମାଗିଥିଲେ । ସେ ଜଣେ ସାଂସଦ ହୋଇଥିବାରୁ ତାଙ୍କୁ ଲିଫ୍ଟ ଦେଇଥିଲେ ମନୋଜ । ସାଂସଦ ପ୍ରଥମେ ଲାରଂଭା ଥାନାକୁ ଯିବାକୁ କହିଥିଲେ । ହେଲେ ପରେ କାହା ସହ ଫୋନରେ କଥା ହେବା ପରେ ତାଙ୍କୁ ଘରେ ଛାଡ଼ି ଦେବା ପାଇଁ କହିଥିଲେ । ତେଣୁ ମନୋଜ ତାଙ୍କୁ ଘରେ ନେଇ ଛାଡିଥିଲେ । ଦୁର୍ଘଟଣା ସମୟରେ ସାଂସଦ ଗାଡିରେ ଥିଲେ ବୋଲି ମନୋଜ କହିଛନ୍ତି । ଏପରିକି ମନୋଜ ତାଙ୍କୁ ନିଜ ବାଇକରେ ନେଇ ଯାଉଥିବା ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।
ସ୍ଥାନୀୟ ସମାଜସେବୀ ଡିଙ୍ଗର କୁମ୍ଭାର ଏହି ଘଟଣାକୁ ଅତି ଅମାନବୀୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସାଂସଦ ନିଜେ ଗାଡ଼ିରେ ଥାଇ ସେଠାରୁ ଫେରାର ହୋଇଯିବା ନିନ୍ଦୀନୟ । ସେ ଗାଡି ଚଳାଉଥାନ୍ତୁ କି ନାହିଁ ତାହା ବଡ କଥା ନୁହେଁ, କିନ୍ତୁ ସେ ଅମାନବୀୟ କାର୍ଯ୍ୟ କରିଛନ୍ତି । ଜଣେ ଜନପ୍ରତିନିଧି ହୋଇ ମିଛ କହିଛନ୍ତି । ଯାହା କେବେ ଗ୍ରହଣୀୟ ନୁହେଁ । ତେଣୁ ତାଙ୍କ ନାଁରେ ହିଟ୍ ଆଣ୍ଡ ରନ ମାମଲା ରୁଜୁ କରାଯିବାକୁ ସମାଜସେବୀ ଦାବି କରିଛନ୍ତି । ସେପଟେ ଏହି ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ସବୁଠି ସାଂସଦଙ୍କ ବ୍ୟବହାରକୁ ନେଇ ଆଲୋଚନା ହେଉଛି । ଏହାକୁ ନେଇ ସାଂସଦ ନିରଞ୍ଜନ ବିଶି ଏବେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ଇଟିଭି ଭାରତ, ବଲାଙ୍ଗୀର