ବଲାଙ୍ଗୀର: ଜିଲ୍ଲାର ସର୍ବ ପୁରାତନ ଆୟୁର୍ବେଦିକ ମହାବିଦ୍ୟାଳୟର ବିକାଶ ପାଇଁ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ମିଳିଛି । କିନ୍ତୁ ହୋଇପାରୁନି କଲେଜର ବିକାଶ । କାହିଁକି କଲେଜର ଉନ୍ନତି ପାଇଁ ଟଙ୍କାକୁ ବିନିଯୋଗ ହୋଇପାରୁନି ସେନେଇ ପ୍ରଶ୍ନ କରିଛି ପୁରାତନ ଛାତ୍ର ସଂଗଠନ । ସେପଟେ ଏଷ୍ଟିମେଟ ରିଭାଇଜ ହୋଇ ନଥିବାରୁ କାମ ଆରମ୍ଭ ହେଉନଥିବା କହିଛନ୍ତି କଲେଜ କର୍ତ୍ତୃପକ୍ଷ ।
ବଲାଙ୍ଗୀରର ଆୟୁର୍ବେଦିକ ମହାବିଦ୍ୟାଳୟର ବିକାଶ ପାଇଁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଓ ଆୟୁଷ ବିଭାଗ 25 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ । ଯେଉଁଥିରେ କଲେଜରେ ସୋଲାର ବ୍ୟବସ୍ଥା ପାଇଁ 22ଲକ୍ଷ 50ହଜାର ଟଙ୍କା, ପଞ୍ଚ କର୍ମ ବିଲ୍ଡିଂ ପାଇଁ 96 ଲକ୍ଷ 91 ହଜାର, ପାର୍କିଂ ଓ କ୍ଳାସ ରୁମ ପାଇଁ 5 କୋଟି 42 ଲକ୍ଷ 34 ହଜାର, କଲେଜ ଚାରିପାଖ ପାଚେରି ନିର୍ମାଣ ପାଇଁ 23 ଲକ୍ଷ 61 ହଜାର, ଲାଇବ୍ରେରୀ ଓ ଅଡିଟୋରିୟମ ପାଇଁ 14 କୋଟି 51 ଲକ୍ଷ ଟଙ୍କା, ଡ଼ିପାର୍ଟମେଣ୍ଟ ବିଲ୍ଡିଂ, ହର୍ବାଲ ଗାର୍ଡେନ, ମୁଖ୍ୟ ଗେଟ, ଇତ୍ୟାଦି ପାଇଁ 29 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସରକାର ଅନୁଦାନ ପ୍ରଦାନ କରିଛନ୍ତି । ତେବେ ମୋଟ 25 କୋଟିରୁ ଉର୍ଦ୍ଧ୍ବ ଟଙ୍କା ସରକାର ଅନୁଦାନ ଦେଇଥିବା ବେଳେ ଏହାକୁ ବିନିଯୋଗ କରାନଯାଇ ପଡିରହିଛି । ଯାହାକୁ ନେଇ ଆୟୁର୍ବେଦିକ ପୁରାତନ ଛାତ୍ର ସଂଗଠନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ।