ବଲାଙ୍ଗୀର: ଜିଲ୍ଲା ପୌରପାଳିକା ଦୁର୍ନୀତିର ଗନ୍ତାଘର ହୋଇଥିବା ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ବଲାଙ୍ଗୀର ପୌରପାଳିକା ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର । ବୃଦ୍ଧଙ୍କ ଭତ୍ତା, ଗରିବ ଲୋକଙ୍କ ଚାଉଳ ସବୁଥିରେ ଘୋର ଦୁର୍ନୀତି ହୋଇଥିବା କହିଛନ୍ତି ବିଧାୟକ । ସେପଟେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ପୌରଧ୍ୟକ୍ଷା ଲିକା ସାହୁ ।
ବଲାଙ୍ଗୀର ପୌରପାଳିକା ଦୁର୍ନୀତି ନେଇ ବିଧାୟକ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି । ପ୍ରତ୍ୟେକ ପୌରପାଳିକା ତାର ବଜେଟ 31 ମାର୍ଚ୍ଚ ସୁଦ୍ଧା ପ୍ରସ୍ତୁତ କରି କାଉନ୍ସିଲ ମିଟିଂରେ ଆଗତ କରିଥାଏ । ହେଲେ ବଲାଙ୍ଗୀର ପୌରପାଳିକା ଏଯାଏଁ ବଜେଟ 23-24 ବର୍ଷ ପାଇଁ ବଜେଟ ପାରିତ କରିନାହିଁ । ଏହାର ଅର୍ଥ ପୌରପାଳିକାର କୌଣସି ଖର୍ଚ୍ଚ କରିବାର ନାହିଁ । ସେହିପରି ପୌର କର୍ମଚାରୀଙ୍କୁ ଦରମା ମଧ୍ୟ ଦେଇ ପାରିବନାହିଁ । ଏଭଳି ଅବସ୍ଥାରେ ପୌରପାଳିକା ବରଖାସ୍ତ ହେବା କଥା । ସଂସଦ ହେଉ କି ବିଧାନସଭା କିମ୍ବା ପୌରପାଳିକା ସମସ୍ତେ 31 ମାର୍ଚ୍ଚ ସୁଦ୍ଧା ତାଙ୍କର ବଜେଟ ପ୍ରସ୍ତୁତ କରି ଆଗତ କରିବାର ନିୟମ ଅଛି । ଯାହାର ଅର୍ଥ ହେଲା ଖର୍ଚ୍ଚର ହିସାବ ନିକାସ । ହେଲେ ବଲାଙ୍ଗୀର ପୌରପାଳିକା ଏହା କରିବାରେ ବିଫଳ ହୋଇଥିବା କହିଛନ୍ତି ବିଧାୟକ ନିରସିଂହ ମିଶ୍ର ।