ଭୁବନେଶ୍ବର: ଧୀରେ ଧୀରେ ଉଗ୍ର ହେଉଛି ବଲାଙ୍ଗୀର ଜିଲାପାଳ ଏବଂ କଣ୍ଟାବାଞ୍ଜି ବିଧାୟକଙ୍କ କଳି । ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳଙ୍କ ମୁହାଁମୁହିଁ ଘଟଣା । ବ୍ଲକକୁ ଆସୁଥିବା ଅନୁଦାନ ଟଙ୍କାରେ ଅନିୟମିତତା ଅଭିଯୋଗ ହିଁ ମୁଖ୍ୟ କାରଣ । ତେବେ ବିଜୁ କେବିକେ ଯୋଜନାର ମୂଳ ଉଦ୍ଦେଶ୍ୟ ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଥିବା ବେଳେ ଅନୁନ୍ନତ ଅଞ୍ଚଳର ବିକାଶ ଏହାର ମୂଳ ଲକ୍ଷ୍ୟ । ତେବେ ଏଥି ପାଇଁ ସରକାର ଅନୁଦାନ ଦେଉଥିବା ବେଳେ ସେହି ଅନୁଦାନ ଟଙ୍କାକୁ ବେଆଇନ ଭାବରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ପାତର ଅନ୍ତର ଆବଣ୍ଟନ ହେଉଥିବାର ଅଭିଯୋଗ ହୋଇଛି ।
ଯାହାକୁ ନେଇ କିଛି ଜିଲ୍ଲାପରିଷଦ ସଦସ୍ୟା ସହିତ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ବିରୋଧ କରିଥିଲେ । ଏହାକୁ ନେଇ ଜିଲ୍ଲାପାଳଙ୍କ ସହ ମୁହାଁମୁହିଁ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ଏବେ ବିବାଦ ଆହୁରି ଘନେଇଛି। ଯେଉଁଥିରେ ଜିଲ୍ଲାପାଳଙ୍କ ସପକ୍ଷରେ ପ୍ରଶାସନିକ ସେବା ସଂଘ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରିଥିଲା ।
ସେହିପରି ବିଧାୟକଙ୍କ ସମର୍ଥକ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସାଲୁଜାଙ୍କ ସହ ଜିଲ୍ଲାପାଳଙ୍କ ଘଟଣା ଆହୁରି ରୋଚକ ସ୍ଥିତିରେ ପହଞ୍ଚିଛି । କାରଣ ଗୋଟିଏ ପଟେ ସାଲୁଜା ଜିଲାପାଳ ବିବାଦ ଆଉ ଗୋଟିଏ ପଟେ ବଲାଙ୍ଗୀର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଜିଲ୍ଲାପାଳଙ୍କୁ କେକ ଖୁଆଇବା ଘଟଣା ଆହୁରି ସରଗରମ କରିଛି କଂଗ୍ରେସ ରାଜନୀତିକୁ ।