ବଲାଙ୍ଗୀର: କଣ୍ଟାବାଞ୍ଜି ରେଲଓ୍ବେ ଷ୍ଟେସନ୍ରୁ ଅଚେତ ଅବସ୍ଥାରେ ୩ ଛାତ୍ର ଉଦ୍ଧାର । ଏମାନଙ୍କୁ ନିଶା ଦେଇ ଲୁଟ୍ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ୩ ଛାତ୍ରଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଥି ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟପନ୍ନ ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ SSC ପରୀକ୍ଷା ଥିଲା । ଏଥିପାଇଁ ୪ ଜଣ ଛାତ୍ର ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷା ସାରି ରାତିରେ ଇସ୍ପାତ୍ ଟ୍ରେନ୍ ଯୋଗେ କଣ୍ଟାବାଞ୍ଜିକୁ ଫେରୁଥିଲେ । ଟ୍ରେନ୍ଟି ବିଳମ୍ବରେ କଣ୍ଟାବାଞ୍ଜିରେ ପହଞ୍ଚିବାରୁ ରାତିରେ ୱେଟିଂ ହଲ୍ରେ ଶୋଇ ସକାଳୁ ନିଜ ନିଜ ଗାଁକୁ ବାହାରି ଯିବାକୁ ସ୍ଥିର କରିଥିଲେ । କିନ୍ତୁ ରାତିରେ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଥଣ୍ଡା ପାନୀୟରେ କିଛି ମିଶାଇ ପିଇବାକୁ ଦେଇଥିଲା । ୪ ଜଣଙ୍କ ମଧ୍ୟରୁ ୩ ଜଣ ଥଣ୍ଡା ପାନୀୟ ପିଇ ଦେଇଥିବା ବେଳେ ଜଣେ ପିଇ ନଥିଲେ । ଆଉ କିଛି ସମୟ ପରେ ସମସ୍ତେ ଶୋଇ ପଡ଼ିଥିଲେ । ଅଚେତ ଅବସ୍ଥାରେ ସେମାନଙ୍କ ଟଙ୍କା ଓ ମୋବାଇଲ ଚୋରି କରି ନେଇଯାଇଥିଲେ ଦୁର୍ବୃତ୍ତ ।
ଘଟଣାସ୍ଥଳରେ ୩ ଜଣଙ୍କୁ ଅଚେତା ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇ ଦିଆଯାଇଛି । ସେପଟେ ଏନେଇ ଜିଆରପି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।