ବଲାଙ୍ଗୀର:ଅସୁରକ୍ଷିତରାଜେନ୍ଦ୍ର ୟୁନିଭରସିଟି କ୍ୟାମ୍ପସ । ୟୁନିଭରସିଟି ଭିତରେ ଅସାମାଜିକ ଯୁବକଙ୍କ ପ୍ରବେଶ ସହ ଆକ୍ରମଣକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ । ଆହତ ଯୁବକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଅନୁସାରେ, ଗୁରୁବାର ରାତିରେ ହଷ୍ଟେଲ ମଧ୍ୟରେ ପଶି ଛାତ୍ରଙ୍କୁ ଆତର୍କିତ ଆକ୍ରମଣ କରିଥନ୍ତି ଦୁର୍ବୃତ୍ତ । ଯେଉଁଥିରେ ଦୁଇଜଣ ଛାତ୍ର ଆହତ ହୋଇଛନ୍ତି । ଅଭିଯୋଗ ଅନୁସାରେ, ବାଳକ ହଷ୍ଟେଲରେ ଗୁରୁବାର ରାତିରେ ଜଣେ ଯୁବକ ଛୁରୀ ଧରି ଭିତରକୁ ଧସେଇ ପଶିଆସିବା ସହ ଯୁବକଙ୍କୁ ଟଙ୍କା ମାଗିଥିଲେ । ତେବେ ଟଙ୍କା ଦେବା ପାଇଁ ଯୁବକ ମନା କରିଦେବାରୁ ଛୁରୀ ଏବଂ ବ୍ଲେଡରେ ଦୁଇଜଣଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।
ଦୁଇ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଭିମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ଅମୃତ ମେହେର ଏବଂ ଋତୁରାଜ ସିଂ । ଅମୃତଙ୍କ ବେକରେ ଆଘାତ ଲାଗିଥିବା ବେଳେ ଋତୁରାଜଙ୍କ ଦୁଇ ହାତ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ସୂଚନା ରହିଛି ।
ଏହି ଘଟଣାକୁ ନେଇ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବାରମ୍ବାର କ୍ୟାମ୍ପସ ଭିତରେ ଏଭଳି ଘଟଣା ଘଟୁଥିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ କିଛିମାସ ତଳେ ହଷ୍ଟେଲ ପରିସରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ମରଣାନ୍ତକ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।