ବଲାଙ୍ଗୀର:ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖର କରୁଣ ଚିତ୍ର । ପେଟପାଟଣା ପାଇଁ ବାହାର ରାଜ୍ୟକୁ ଏକାଠି ଯାଇଥଲେ ସ୍ବାମୀ ସ୍ତ୍ରୀ । ସ୍ତ୍ରୀର ମୃତଦେହ ଘରକୁ ଫେରିଥିବା ବେଳେ ସ୍ବାମୀ ନିଖୋଜ । ଏଭଳି ଦୁଃଖଦ ଘଟଣା ଘଟିଛି ବେଲାପଡ଼ା ବ୍ଲକ ଭାଲୁ ବାହାଲି ଗ୍ରାମରୁ। ମାଆର ମୃତ୍ୟୁ ବାପା ନିଖୋଜ ହେବା ପରେ ଏବେ ଅସହାୟ ହୋଇପଡିଛନ୍ତି ତାଙ୍କ ତିନି ଶିଶୁ । ଲାଳନପାଳନ ପାଇଁ ଚିନ୍ତାରେ ତାଙ୍କ ଜେଜେ ବାପା ଓ ଜେଜେ ମାଆ ।
ଗ୍ରାମର ବେଣୁଧର ମାଝୀ ଓ ତାଙ୍କ ସ୍ତ୍ରୀ ଲିଜା ମାଝୀ ଦୁଇ ବର୍ଷର ଶିଶୁକୁ ନେଇ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଘରେ ତାଙ୍କ ଅନ୍ୟ ଦୁଇ ଶିଶୁ ଓ ବୃଦ୍ଧ ମାଆ ବାପାଙ୍କୁ ଛାଡ଼ି ଯାଇଥିଲେ। ତେବେ ଦାଦନ ଦଲାଲଠାରୁ ଅଗ୍ରୀମ ଟଙ୍କା ନେଇ ସେମାନେ ଆନ୍ଧ୍ର ପ୍ରଦେଶରେ ଇଟା ଗଢ଼ିବାକୁ ଟ୍ରେନ୍ ଯୋଗେ ଯାଉଥିଲେ । କାଯୁପେଟ ଷ୍ଟେସନ ନିକଟରେ ଦୁର୍ଘଟଣା ବଶତଃ ଲିଜା ମାଝୀ ଟ୍ରେନରୁ ଖସି ପଡ଼ିଥିଲେ । ପୋଲିସ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମହିଳାଙ୍କ ସ୍ଵାମୀ ବେଣୁଧର ମାଝୀ ସେଠାରୁ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ ।
ଏନେଇ ଖବର ପାଇବା ପରେ ଗାଁର କିଛି ଲୋକ ସେଠାକୁ ଯାଇ ଛୋଟ ଶିଶୁ ସହିତ ମହିଳାଙ୍କ ମୃତଦେହକୁ ଗାଁକୁ ଆଣିଥିଲେ। ପରିବାରରେ ଏବେ ତିନି ଛୋଟ ଶିଶୁ ଓ ନିଖୋଜ ବ୍ୟକ୍ତିଙ୍କ ବୃଦ୍ଧ ବାପା ଓ ମାଆ ଅଛନ୍ତି । ତେବେ ବୃଦ୍ଧ ବାପା ମାଆ ପୁଅର ରୋଜଗାରରେ ନିର୍ଭରଶୀଳ ଥିବା ବେଳେ ଏବେ ସେମାନେ କେମିତି ଏହି ଶିଶୁଙ୍କ ଲାଳନପାଳନ କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି । ସରକାର ତାଙ୍କୁ ସହାୟ ହୁଅନ୍ତୁ ବୋଲି ସେମାନେ କହିଛନ୍ତି ।