ବଲାଙ୍ଗୀର:ନିଶା ପାଇଁ ଜୀବନ ହାରିଲା ସ୍ବାମୀ । ପତ୍ନୀ ମଦ ପାଇଁ ଟଙ୍କା ନ ଦେବା ପରେ ଜୀବନକୁ ତୁଚ୍ଛ ମଣି ଶେଷରେ ଚରମ ନିଷ୍ପତ୍ତି ନେଲେ ଜିଲ୍ଲାର ଗାନ୍ଧୀନଗର ପଡ଼ାର ଜଣେ ବ୍ୟକ୍ତି । ମଦ ପାଇଁ ଅର୍ଥ ନ ମିଳିବାରୁ ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଆତ୍ମହତ୍ୟା ଜନିତ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ ।
ମୃତକଙ୍କ ନାମ ରୋହିତ ଥାପା ବୋଲି ଜଣାପଡ଼ିଛି । ସେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ଗୌରୀମୁଣ୍ଡାର ମୂଳ ନିବାସୀ ଅଟନ୍ତି । ତେବେ ତାଙ୍କ ପରିବାର ଦୀର୍ଘ ଦିନରୁ ବଲାଙ୍ଗୀର ଗାନ୍ଧୀ ନଗର ପଡ଼ାରେ ଭଡ଼ାରେ ରହୁଥିଲେ ଏବଂ ସ୍ବାମୀ ରୋହିତ ଥାପା ମଦ୍ୟପାନ କରି ଘରକୁ ଆସିଥିଲେ । ଯାହା ଫଳରେ ତାଙ୍କ ଘରେ ସବୁ ବେଳେ କଳହ ଲାଗି ରହୁଥିଲା । ସେପଟେ ଗତକାଲି ରାତିରେ ସ୍ବାମୀ ଘରକୁ ଆସି ସ୍ତ୍ରୀକୁ ମଦ ପାଇଁ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା ।
ଏହାପରେ ରାତିରେ ଖାଇ ସାରି ସମସ୍ତେ ଶୋଇଥିବା ବେଳେ ଆଜି ସକାଳୁ ରୋହିତ ଥାପାଙ୍କ ମୃତଦେହ ତାଙ୍କ ଶୋଇବା କକ୍ଷରୁ ଝୁଲନ୍ତା ଅବସ୍ଥାରେ ପରିବାର ଲୋକେ ଦେଖିଥିଲେ । ସ୍ଥାନୀୟ ଟାଉନ ପୋଲିସକୁ ଏହାର ଖବର ଦେଇଥିଲେ। ଯାହା ପରେ ଟାଉନ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ସେହିପରି ସାଇଣ୍ଟିଫିକ୍ ଟିମ୍ ଆସି ମଧ୍ୟ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଟାଉନ ପୋଲିସ ମୃତଦେହକୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।