ବଲାଙ୍ଗୀର: ରାଜା ଅମଳରେ ସୁନ୍ଦର ବ୍ୟବସ୍ଥିତ ବଲାଙ୍ଗୀର ସହର ଏବେ ଅବ୍ୟବସ୍ଥାରେ । ଦିନେ ସହର ସୁବ୍ୟବସ୍ଥିତ ନାଳ ନର୍ଦ୍ଦମା ଓ ରାସ୍ତା ଯୋଗୁଁ ବଲାଙ୍ଗୀର ଜଣାଶୁଣା ଥିଲା । ହେଲେ ଏବେ ବିକାଶ ନାଆରେ ବେଆଇନ ନିର୍ମାଣ ସହରକୁ ସଙ୍କୁଚିତ କରିବା ସହ ସବୁ ବ୍ୟବସ୍ଥା ଅବ୍ୟବସ୍ଥିତ ହୋଇଯାଇଛି । ସହର ମଧ୍ୟରେ ବେଆଇନ କୋଠା ଓ ବ୍ୟବସାୟୀ ପ୍ରତିଷ୍ଠାନ ଗଢି ଉଠିବା ଏହାର ମୁଖ୍ୟ କାରଣ ଅଟେ । ତେବେ ବଲାଙ୍ଗୀର ସହରରେ ବିଗତ ଦଶ ବର୍ଷ ମଧ୍ୟରେ ଚାରିପଟେ ବେଆଇନ ଜମି ବିକ୍ରି ଓ ଘର ଦ୍ବାର ନିର୍ମାଣ ଏବେ ସହର ପାଇଁ ସମସ୍ୟା ସୃଷ୍ଟି କରୁଛି । ବ୍ୟବସାୟିକ ପ୍ରତିଷ୍ଠାନ ସବୁ ପାର୍କିଂ, ପ୍ରଦୂଷଣ ଭଳି ବିଭିନ୍ନ ଅନୁମତି ନେଇ ତାକୁ ମାନୁ ନାହାଁନ୍ତି । ଯାହାଫଳରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଉତ୍କଟ ହୋଇଛି ।
ସେହିପରି ବିନା ଡ୍ରେନେଜ୍ ସିଷ୍ଟମରେ ସହର ମଧ୍ୟରେ କୃତ୍ରିମ ବନ୍ୟା ପରିସ୍ଥିତି ରହିଆସିଛି । ତେବେ ନିୟମ ଅନୁସାରେ ଘରଟିଏ ବା ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରିବାକୁ ହେଲେ ପ୍ରଥମେ ଆବଶ୍ୟକ ଘରଡିହ ଜମି ନେଇ ପରେ ଟାଉନ ପ୍ଲାନିଂ ବିଭାଗର ଅନୁମତି ଲୋଡ଼ା ହୋଇଥାଏ । ଯେଉଁଥିରେ ପାର୍କିଂ, ନାଳ ନର୍ଦ୍ଦମା ଓ ରାସ୍ତାକୁ ଗୁରୁତ୍ଵ ଦିଆଯାଇଥାଏ । ଏହାକୁ ଖିଲାଫ କଲେ ସ୍ଥାନୀୟ ପ୍ରଶାସନ କିମ୍ବା ପୌର ପରିଷଦ ସମ୍ପୃକ୍ତ ନିର୍ମାଣ ଉପରେ କଡା ପଦକ୍ଷେପ ନେବାର ବ୍ୟବସ୍ଥା ଅଛି । ହେଲେ ଏସବୁକୁ ଏଠି ଖୁଲମଖୁଲା ଉଲ୍ଲଂଘନ କରାଯାଉଛି । ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବ ଓ ତାଙ୍କର ସ୍ଥାଣୁତା ସବୁ ସମସ୍ୟାକୁ ଜନ୍ମ ଦେଇଛି । ଏଭଳିକୁ ନିକଟରେ ବଲାଙ୍ଗୀର ଟାଉନ ପ୍ଳାନିଂ ବିଭାଗ କିଛି ନିର୍ମାଣକୁ ଅବୈଧ ଦର୍ଶାଇ ନିର୍ମାଣ କାମ ବନ୍ଦ କରିବାର ନିର୍ଦ୍ଦେଶ ଦେଇଛି ।