ବଲାଙ୍ଗୀର:ଆୟକର ବିଭାଗର ତରଫରୁ ରାଜ୍ୟର ବିଭିନ୍ନ ଯାଗରେ ଚଢ଼ାଉ ପରେ କୋଟି କୋଟି ଟଙ୍କାର କଳା କାରବାର ଧରାପଡ଼ିଥିଲା । ତେବେ ଏହି ଟଙ୍କା ମଦ ବ୍ୟବସାୟ ସହ ଜଡଡିତ ଥିବା ଜଣାପଡ଼ିଥିଲା । ରାଜ୍ୟରେ ଧିରେ ଧିରେ ଏହି ମଦ ସାମ୍ରାଜ୍ୟ ଆଧିପତ୍ୟ ବିସ୍ତାର କରିଥିବା ବେଳେ ଏହାର ମୂଳଦୁଆ ପଡ଼ିଥିଲା ଗରିବ ଜିଲ୍ଲା କୁହାଯାଉଥିବା ବଲାଙ୍ଗୀରରେ । ମଦ ବ୍ୟବସାୟରୁ କୋଟି କୋଟି ଟଙ୍କା ଆୟ କରି ଗରିବ ଦେଶର କୁବେର ସାଜିଥିଲେ ଏହି ବ୍ୟବସାୟୀ ।
ବଲାଙ୍ଗୀର ଏକ ପଛୁଆ ଓ ଗରିବ ଜିଲ୍ଲା ଭାବରେ ପରିଗଣିତ ହୋଇ ଆସୁଛି । ହେଲେ ଏଠି ମଦର ସାମ୍ରାଜ୍ୟ ବିସ୍ତାର କରି ଆଜି ରେକର୍ଡ କରିଛି । ଯେଉଁଥିରେ ମଦ ବ୍ୟବସାୟୀ ଏଠି କୁବେର ସାଜି ଥିବା ବେଳେ ଲୋକେ ଆଜିବି ଗରିବ ସୀମା ତଳେ ବଞ୍ଚୁଛନ୍ତି । ଗୋଟିଏ ପରିବାର କିଭଳି ମଦର ସାମ୍ରାଜ୍ୟ ଛିଡା କଲା ଓ କେମିତି ସେମାନେ କୁବେର ସାଜିଲେ ତାହା ନିଶ୍ଚୟ ଏବେ ଚର୍ଚ୍ଚାର କେନ୍ଦ୍ର ହୋଇଛି । ବିଶେଷ କରି ଦେଶର ସବୁଠୁ ବଡ଼ ଆଇଟି ରେଡ ପରେ ପାଖାପାଖି 300 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହେବା ବିଷୟ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ତେବେ ଝାଡ଼ଖଣ୍ଡର ସାହୁ ପରିବାର ବଲାଙ୍ଗୀରରେ ମଦ ସାମ୍ରାଜ୍ୟ ଛିଡା କରି ଏବେ ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି ।
ବଲାଙ୍ଗୀର ରାଜାଘରର ସଦସ୍ୟ ଆର୍ତ୍ତ ତ୍ରାଣ ସିଂହଦେଓ କହିଛନ୍ତି, "ଭାରତ ସ୍ୱାଧୀନ ହେବା ପୂର୍ବରୁ ଅର୍ଥାତ୍ 1934 ମସିହାରେ ଝାଡ଼ଖଣ୍ଡର ବଳଦେବ ସାହୁ ସେ ସମୟର ପାଟଣା ରାଜ୍ୟ ଅର୍ଥାତ୍ ବଲାଙ୍ଗୀରକୁ ଆସିଥିଲେ । ଏଠାର ତତ୍କାଳୀନ ମହାରାଜାଙ୍କ ଅନୁମତି ପାଇ ମଦ ବ୍ୟବସାୟ ଆରମ୍ଭ କରିଥିଲେ । ସେ ସମୟରେ ମହରାଜାଙ୍କୁ ମୋଟା ଅଙ୍କର ରାଜସ୍ବ ଦେଇ ଆସୁଥିଲେ । ପରବର୍ତ୍ତୀ ସମୟରେ ସେ ପାଟଣା ରାଜ୍ୟର ସବୁଠି ମଦ ବ୍ୟବସାୟ ଆରମ୍ଭ କରିଥିଲେ । ସେହିପରି ଭାରତ ସ୍ୱାଧୀନ ହେବା ପରେ ଏସବୁ ଓଡ଼ିଶା ସରକାରଙ୍କ ହାତକୁ ଯାଇଥିଲା । ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଆଣି ସମାନ ଭାବରେ ମଦ ବ୍ୟବସାୟ କରି ଚାଲିଥିଲେ । ସେହିପରି ପୂର୍ବରୁ ମଦ ଭାଟି ଠିକା ବା ଟେଣ୍ଡର ହେଉଥିଲା । ପରେ ଏହି ପରିବାର ଟେଣ୍ଡର ପାଇବାରେ ସବୁ ବେଳେ ସଫଳ ହୋଇ ଆସୁଥିଲେ । ସମାନ ଭାବରେ 1951 ମସିହା ପରେ ଆଉ ଟେଣ୍ଡର ହେଲା ନାହିଁ ଏବଂ କେବଳ ରିନ୍ଵିୟୁ ହୋଇ ଏମାନଙ୍କ ହାତରେ ରହି ଆସିଛି । ତେବେ ଏହି ପରିବାର ଅତି କମ ଟଙ୍କାରେ ମହୁଲ କିଣି ସେଥିରୁ ମଦ ପ୍ରସ୍ତୁତ କରି ଶହ ଶହ ଗୁଣ ଟଙ୍କା କମାଇ ଆସୁଛନ୍ତି । ଏହି ଆଇଟି ରେଡରେ ଜବତ ହୋଇଥିବା ସବୁ ଟଙ୍କା ମଦ ଟଙ୍କା ।"