ବଲାଙ୍ଗୀର:ବଲାଙ୍ଗୀର MGNREGA ଟଙ୍କା ପ୍ରଦାନ ନେଇ ଶ୍ରମିକଙ୍କ ହଙ୍ଗାମା । ଟଙ୍କା ଦାବି କରି ବ୍ୟାପକ ଭଙ୍ଗା ରୁଜା । ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନାନୁସାରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମହଦାପଦର ଗ୍ରାମ ପଞ୍ଚାୟତର ଶ୍ରମିକ ଦୀର୍ଘ ମାସ ହେବ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନାରେ କାମ କରିଥିଲେ । ହେଲେ ଏଯାଏଁ ସେମାନଙ୍କୁ ତାଙ୍କ ପାରିଶ୍ରମିକ ମିଳିନାହିଁ । ଏନେଇ ଶ୍ରମିକମାନେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ସତ୍ତ୍ବେ କୌଣସି ସୁଫଳ ପାଇ ନଥିଲେ ।
ଯାହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଆଜି ସବୁ ଶ୍ରମିକ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ସ୍ଥାନୀୟ ବିଦ୍ୟାବାସିନି ଶ୍ରମିକ ସଂଗଠନର ତତ୍ତ୍ବବଧାନରେ ପଞ୍ଚାୟତର ଶତାଧିକ ଶ୍ରମିକ ଖପ୍ରାଖୋଲ ବ୍ଲକରେ ପହଞ୍ଚି କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସେଠାରେ ବ୍ଲକ ପ୍ରଶାସନ ଓ ପୋଲିସ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ ଶ୍ରମିକମାନେ ବ୍ଲକ ଭିତରକୁ ପଶି ବିଡିଓଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗା ରୁଜା କରିଥିଲେ । ଆସବାବ ପତ୍ର, ଚେୟାର, ଟେବୁଲ, ଝରକା କାଚ ଇତ୍ୟାଦି ଭାଙ୍ଗି ଦେଇଥିଲେ । ଖବରପାଇ ଖପ୍ରାଖୋଲ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା ।
ସୂଚନାନୁସାରେ ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ କାର୍ଯକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଗଲା । ଏହା ସହ କାମ ବି ଯୋଗାଇ ଦିଆଯାଉଛି । ହେଲେ ମଜୁରୀ ଦେବା ବେଳେ ଦେଖାଦେଉଛି ବ୍ୟତିକ୍ରମ । ରାଜ୍ୟରେ ଦାଦନ ପ୍ରଥାକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟ ବରାଦ କରୁଛନ୍ତି । ହେଲେ ମନରେଗା ଯୋଜନାରେ ହିତାଧିକାରୀଙ୍କୁ ଦୀର୍ଘ ୩ ବର୍ଷ ଧରି ମଜୁରୀରୁ ବଞ୍ଚିତ ରଖିବା ଏବେ ପରୋକ୍ଷରେ ଦାଦନ ପ୍ରଥାକୁ ସମର୍ଥନ ପରି ମନେ ହେଉଛି ।