ବଲାଙ୍ଗୀର:ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦି ବାହାଲ ପଞ୍ଚାୟତରେ ଚିନ୍ତା ଜନକ ହୋଇଛି କିଡନୀ ରୋଗ । ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପରେ ଆସିଲା ଗୁରୁତର ତଥ୍ୟ । ଗ୍ରାମରେ ଶତାଧିକ କିଡନୀ ରୋଗରେ ଆକ୍ରାନ୍ତ ଥିବାବେଳେ ଏହାର ନିରାକରଣ ଉପରେ ପଦକ୍ଷେପ ନେବାକୁ ଦାବି ହୋଇଛି । ବଲାଙ୍ଗୀର ଜିଲ୍ଲା ଉପାନ୍ତରେ ଥିବା ବାଦି ବାହାଲ ପଞ୍ଚାୟତରେ ମୋଟ 6ଟି ଗ୍ରାମ ବାଦି ବାହଲ, ଆଲଗାପାଲି, ଭାଲୁ ପାଲି, କରନ ପାଲି, ଭାଲିଆ ମୁଣ୍ଡା ଓ କଦଳୀ ପାଲି ଗ୍ରାମ ରହିଛି । ଏହି ସବୁ ଗ୍ରାମରେ ଅଧିକାଂଶ ଘରେ କିଡନୀ ରୋଗୀ ଥିବାର ଜଣା ପଡ଼ିଛି । ବଲାଙ୍ଗୀରର ସୌମ୍ୟ ସେବା ସଂଗଠନ, ସଚେତନ ମହିଳା ମୋର୍ଚ୍ଚା ଓ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ମିଳିତ ଭାବରେ ଏକ ସ୍ବାସ୍ଥ୍ୟ ଶିବିର କରା ଯାଇଥିଲା ।
ଯେଉଁଥିରେ ଏହି ସବୁ ଗ୍ରାମରୁ 200ରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ହୋଇଥିଲା । ଏମାନଙ୍କ ମଧ୍ୟରୁ 60 ଜଣ କିଡନୀ ରୋଗୀ ଥିବାର ଜଣାପଡ଼ିଛି । ଏନେଇ ଡାକ୍ତର କହିଛନ୍ତି," କିଡ଼ନୀ ରୋଗରେ ଆକ୍ରାନ୍ତଙ୍କ ମଧ୍ୟରୁ କିଛି ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । ଏତେ ସଂଖ୍ୟାରେ କିପରି ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେଥିପାଇଁ ସ୍ବତନ୍ତ୍ର ଯାଞ୍ଚ ଆବଶ୍ୟକ ରହିଛି । ରୋଗର କାରଣ ସାଙ୍ଗକୁ ନିରାକରଣ ବ୍ୟବସ୍ଥା ମଧ୍ୟ ଜରୁରୀ ରହିଛି ।"