ବଲାଙ୍ଗୀର: ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) କାର୍ଯ୍ୟାଳୟ କଣ୍ଟାବାଞ୍ଜି ସମ୍ମୁଖରେ ଶତାଧିକ ସଫେଇ କର୍ମଚାରୀଙ୍କ ସହ ଧାରଣାରେ ବସିଛନ୍ତି ଖୋଦ୍ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । କାର୍ଯ୍ୟାଳୟରେ ତାଲା ମାରି ହାତରେ ଝାଡୁ ଧରି ବିଧାୟକଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ପୁରୁଷ ଓ ମହିଳା କର୍ମଚାରୀ । କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମାତ୍ରାଧିକ ମନମୁଖୀ କାର୍ଯ୍ୟ, ବିନା କାରଣରେ ଦରମା ବନ୍ଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ ଓ ସାଥିରେ ଅଛନ୍ତି ବିଧାୟକ ।
ସୂଚନା ଅନୁସାରେ ଗୁରୁବାର ସକାଳୁ କଣ୍ଟାବାଞ୍ଜି ବିଧାୟକଙ୍କ ନେତୃତ୍ବରେ ଏନଏସି୍ର ଶତାଧିକ ସଫେଇ କର୍ମଚାରୀ ତାଲା ମାରି ଅଫିସ ସମ୍ମୁଖରେରେ ଧାରଣା ଦେଇଛନ୍ତି ।
ସଫେଇ କର୍ମଚାରୀଙ୍କ ସହ ଧାରଣାରେ ବିଧାୟକ ସନ୍ତୋଷ ସିଂ ସାଲୁଜା ସେମାନଙ୍କ ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ରଙ୍କ ମନମୁଖୀ କାମ, କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଦୁଇ ଦୁଇ ମାସର ଦରମା ଦେଇ ନାହାଁନ୍ତି । ରଥଯାତ୍ରା ସମୟରେ ମଧ୍ୟ ଦରମା ନ ଦେଇଥିବାବେଳେ ବର୍ତ୍ତମାନ ନୂଆଖାଇ ପର୍ଵ ଆସୁଥିବା ବେଳେ କୌଣସି କର୍ମଚାରୀଙ୍କୁ ଦରମା ଦେଇନାହାଁନ୍ତି ।
ଏହା ସହ ଏରିୟର ଟଙ୍କା , ଗ୍ରେଡ ପେ, ସପ୍ତମ ବେତନ ଲାଗୁ, ମୃତ କର୍ମଚାରୀଙ୍କ ସ୍ଥାନରେ ତାଙ୍କ ପରିଜନକୁ କାମ ଦେବା ପାଇଁ ଦାବି କରିଛନ୍ତି ବିଧାୟକ । ଏଥିସହ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବଦଳି କରିବା ପାଇଁ ମଧ୍ୟ ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା ।
ବଲାଙ୍ଗୀରରୁ ଏସକେ୍ ମହମ୍ମଦ ୱାହିଦ, ଇଟିଭି ଭାରତ