ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି । ଏନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ ଚାଲିଛି । ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି ।
ଏଠାରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜିର ଏହି ବନ୍ଦରେ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ସଙ୍ଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ କାର୍ଯ୍ୟକାରୀ ସଭାପତି ବ୍ରଜ ଶ୍ୟାମ ଗୁରୁ, ଏନ୍ଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ବିଦେଶୀ ବେହେରା, ଅଜୟ ଅଗ୍ରୱାଲ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ଏଥିରେ ସାମିଲ ହୋଇ ବନ୍ଦ ପାଳନ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ- ମୌଳିକ ସମସ୍ୟାର ହେଉନି ସମାଧାନ: ଆଜି 12 ଘଣ୍ଟିଆ ଭୁବନ ବନ୍ଦ, ଜନଜୀବନ ପ୍ରଭାବିତ
ଏନେଇ ଆନ୍ଦୋଳନକାରୀ ପ୍ରଦୀପ ବାଗ କହିଛନ୍ତି ଯେ, ଦୀର୍ଘ ଦିନରୁ କଣ୍ଟାବାଞ୍ଜି ଜିଲ୍ଲା ଦାବି କରି ଆସୁଛୁ । ହେଲେ ସରକାର ଏହା ଉପରେ ଆଜି ଯାଏଁ କୌଣସି ପଦକ୍ଷେପ ନେଉ ନାହାନ୍ତି । ତେବେ କଣ୍ଟାବାଞ୍ଜି ବଲାଙ୍ଗୀର ମୁଖ୍ୟ କାର୍ଯ୍ୟାଳୟ ଠାରୁ 80 କିମି ଦୂରରେ ରହିଛି । ସେହିପରି ଏଠିକାର ଲୋକେ ଦୈନନ୍ଦିନ କାମ ପାଇଁ ହଇରାଣ ହେଉଛନ୍ତି । ଏପରିକି ଏହି ଅଞ୍ଚଳ ଆଜି ବି ଦାଦନ, ଗରିବୀରେ ପେଶି ହେଉଛି । ଅନେକ ଗାଁକୁ ଆଜି ଯାଏ ରାସ୍ତା ଘାଟ ନାହିଁ। ତେବେ ରେଭିନ୍ୟୁ ହିସାବରେ ମଧ୍ୟ କଣ୍ଟାବାଞ୍ଜି ଅଞ୍ଚଳ ଅଧିକ କର ପ୍ରଦାନ କରୁଛି । ତେଣୁ ଏହା ଜିଲ୍ଲା ହେବାକୁ ସବୁ ସର୍ତ୍ତ ପୁରଣ କରୁଛି । ତେଣୁ ସରକାର ଏହି ଦାବିକୁ ଶୀଘ୍ର ମାନି ନିଅନ୍ତୁ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି । ସେହିପରି ଆଜିର ଏହି ବନ୍ଦରେ କଣ୍ଟାବାଞ୍ଜି, ତୁରେକେଲା, ବଙ୍ଗୋମୁଣ୍ଡା, ଖପ୍ରାଖୋଲ, ବେଲ ପଡ଼ା ମୁରିବାହାଲ ସବୁ ବ୍ଲକ ବନ୍ଦକୁ ସମର୍ଥନ ଦେବା ସହ ଆନ୍ଦୋଳନରେ ସାମିଲ ହୋଇଥିବାର ସେ କହିଛନ୍ତି । ସେପଟେ ବନ୍ଦ ଏଯାଏଁ ଶାନ୍ତି ପୂର୍ଣ୍ଣ ରହିଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ସବୁଠି କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।
ଇଟିଭି ଭାରତ, ବଲାଙ୍ଗୀର